ରାଉରକେଲା: ରାଉରକେଲା ସହରରେ ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗ୍ର ତିନି ଜଣଙ୍କୁ ପ୍ଲାଣ୍ଟ୍ସାଇଟ୍ ପୁଲିସ ଗିରଫ କରିନେଇଛି। ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୁଲିସ ସମସ୍ତଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତମାନେ ହେଉଛନ୍ତି ସ୍ଥାନୀୟ ଗୋପବନ୍ଧୁପଲ୍ଲୀର ଅଜୟ ଯାଦବ, ଶେଖ୍ ସଲମାନ ଓ ନୟାବଜାରର ଛୋଟୁକୁମାର ବର୍ମା। ଅଭିଯୁକ୍ତମାନଙ୍କଠାରୁ ୬ ରାଉଣ୍ଡ୍ ବିଶିଷ୍ଟ ଦେଶୀ ରିଭଲ୍ଭର୍, ଗୋଟିଏ ଜୀବନ୍ତ ଗୁଳି, ୨ଟି ବୋମା, ଗୋଟିଏ ଛୋଟ ଖଣ୍ଡା, ଗୋଟିଏ ଭୁଜାଲି ଜବତ ହୋଇଛି। ଅଭିଯୁକ୍ତମାନଙ୍କର ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କୋର୍ଟ ହାଜତକୁ ପଠାଇଦିଆଯାଇଛି।
ଗତକାଲି ବିଳମ୍ବିତ ରାତି। ନୟାବଜାର କଂଗ୍ରେସ ଭବନ ପାଖରେ ଥିବା ପଡ଼ିଆରେ ତିନି ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ। ଏନେଇ ପ୍ଲାଣ୍ଟ୍ସାଇଟ୍ ପୁଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ପୁଲିସ ସେଠାରେ ସଦଳବଳ ପହଞ୍ଚିଥିଲା। ଚାରିଆଡ଼ୁ ଘେରି ସେମାନଙ୍କୁ କାବୁ କରିନେଇଥିଲା। ସୂଚନାରୁ ପ୍ରକାଶ ଯେ, ଏହି ଗ୍ୟାଙ୍ଗ୍ରେ ଆହୁରି ୩/୪ ଜଣ ସଦସ୍ୟ ସାମିଲ ଅଛନ୍ତି। ଏହି ଗ୍ୟାଙ୍ଗ୍ ସହରର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ଡକାୟତି, ଲୁଟ୍ ମାମଲାରେ ସଂପୃକ୍ତ ଅଛନ୍ତି। ଧରାପଡ଼ିଥିବା ଏହି ତିନି ଡକାୟତଙ୍କ ଅପରାଧର ତାଲିକା ବେଶ୍ ଲମ୍ବା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/b1ff3110-579b-4d3f-9e30-fc42676cd714.jpg)