ଖୋର୍ଦ୍ଧା: ଆର୍ବିଆଇ ଓ ବ୍ୟାଙ୍କ ନିୟମର ଉଲ୍ଲଂଘନ କରି ମୋବାଇଲ୍ ଫାଇନାନ୍ସ ନାମରେ ଗ୍ରାହକଙ୍କୁ ମୋବାଇଲ୍ ବଦଳରେ ନଗଦ ଟଙ୍କା ଦେବାର ଲୋଭ ଦେଖାଇ ୪୦ରୁ ୫୦ଲକ୍ଷ ଟଙ୍କା ବ୍ୟାଙ୍କକୁ ଚୂନ ଲଗାଇବା ଓ ଗ୍ରାହକଙ୍କୁ ଟଙ୍କା କିମ୍ବା ମୋବାଇଲ୍ ନଦେବା ମାମଲାରେ ପୁଲିସ ୬ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଦୋକାନ ମାଲିକ ସମେତ ୩ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ଏକ ସଂଗଠିତ ଗୋଷ୍ଠୀ ଓ ୨୫ରୁ ଉଦ୍ଧ୍ୱର୍ ସଦସ୍ୟ ରହିଥିବା ଜଣାଯାଇଛି ।
ପୁଲିସ ଉକ୍ତ ଠକେଇ ଘଟଣାରେ ଦୋକାନ ମାଲିକ ଦିପୁ ସମେତ ୬ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ୬ଜଣ ଅଭିଯୁକ୍ତ ହେଲେ ମୁକୁନ୍ଦପ୍ରସାଦର ସାହିଲ ଖାଁ, ବେଣାପଂଜରୀର କାଲା ଖାଁ, ଏଚ୍ଡିଏଫ୍ସିର ଫାଇନାନ୍ସ ଏଜେଂଟ୍ ବଳରାମ ଜେନା, ଆଇଡିଏଫ୍ସିର ଫାଇନାନ୍ସ ଏଜେଂଟ୍ ଲକ୍ଷ୍ମୀଧର ଜେନା, କର୍ମଚାରୀ ଶାନ୍ତନୁ ସାହୁ ଓ ଦୋକାନ ମାଲିକ ଦିପୁ । ଜୁଲାଇ ୩୦ ତାରିଖରେ ଓମ୍ ମା' କମ୍ୟୁନିକେସନ୍ର କର୍ମଚାରୀ ପିପିଲିର ଶାନ୍ତନୁ ସାହୁ (୨୪)ଙ୍କୁ ଗିରଫ କରିଥିଲା । ତେବେ ଅଭିଯୋଗ ପତ୍ରରେ ଉଲ୍ଲେଖ ଥିବା ୬ଜଣଙ୍କ ବ୍ୟତୀତ ଅନ୍ୟଜଣେ ମଧ୍ୟ ସକ୍ରିୟ ଭାବେ ଜଡ଼ିତ ଥିବା ପୁଲିସ ତଦନ୍ତରେ ଜଣାପଡ଼ିବା ପରେ ରସୁଲଗଡ଼ର ମାନସ ରଂଜନ ଦାସ (୨୫)କୁ ଗିରଫ କରିଥିଲା । ଆଜି ଦୋକାନ ମାଲିକ ସମେତ ଅନ୍ୟମାନଙ୍କୁ ଅଟକ ରଖିଥିବା ଜଣାଯାଇଛି । ଏଥିରେ କେବଳ ୬-୭ ଜଣ ନୁହନ୍ତି, ସଂଖ୍ୟାଧିକ ବ୍ୟକ୍ତି ବିଶେଷତଃ ଫାଇନାନ୍ସ ଏଜେଂଟ୍ ସମ୍ପୃକ୍ତ ଥିବା ଜଣାଯାଇଛି ।
ସୂଚନାଯୋଗ୍ୟ, ଆଇଡିବିଆଇ ଓ ଏଚ୍ଡିଏଫ୍ସିର ସପିଂକାର୍ଡ/କ୍ରେଡିଟ୍ କାର୍ଡ ଦ୍ୱାରା କୌଣସି ଗ୍ରାହକ ନିର୍ଦ୍ଧାରିତ ମୂଲ୍ୟର ସାମଗ୍ରୀ କିଣି ନେଇପାରିବ ଓ ଏହି ଟଙ୍କା ପରବର୍ତୀ ସମୟରେ କିସ୍ତି ଆକାରରେ ଉକ୍ତ ବ୍ୟାଙ୍କକୁ ସୁଝିବ । କିନ୍ତୁ କେତେକ ଗ୍ରାହକ ମୋବାଲ୍ ନେବା ବଦଳରେ ନଗଦ ଟଙ୍କା ନେବା ପାଇଁ ଓମ୍ ମା' କମ୍ୟୁନିକେସନ୍ ସହ ଯୋଗାଯୋଗ କରିଥିଲେ । ଦୋକାନର ମାଲିକ ଓ କର୍ମଚାରୀ ଗ୍ରାହକଙ୍କ ପାନ୍ କାର୍ଡ, ଆଧାର, ବ୍ୟାଙ୍କ ପାସ୍ବୁକ୍, ପାସ୍ଫୋଟ ଆଦି ନେଇଥିଲେ କିନ୍ତୁ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେଇନଥିଲେ । କିନ୍ତୁ ଉକ୍ତ ଗ୍ରାହକଙ୍କୁ ମୋବାଇଲ୍ ଋଣ ଆକାରରେ ନେଇଥିବାରୁ କିସ୍ତି ସୁଝିବାକୁ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ଆସିଥିଲା । ଏହାପରେ ଗ୍ରାହକ ଦୋକାନକୁ ଯାଇ ପଚାରିବାରୁ ଦୋକାନୀ ମାଲିକ ଓ କର୍ମଚାରୀ ମାନେ ଏନେଇ କିଛି ଜାଣିନଥିବା କହି ଏଡ଼ାଇଦେଇଥିଲେ । ଏନେଇ ଗ୍ରାହକମାନେ ଖୋର୍ଦ୍ଧା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏନେଇ ୩୫୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।