ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ପୁଲିସ ୩ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖଲ୍ଲିକୋଟ ଥାନା ମାଣିକପୁରର ବିଭୂ ଜେନା, ବାଟ ବ୍ରହ୍ମପୁରର ରାମ ପାଲ ଓ ବେଗୁନିଆପଡ଼ା ଥାନା ଭାଲିଆଝର ଗ୍ରାମର ସଂଜୟ କୁମାର ବାରିକ ଓରଫ୍ ବାଙ୍କ ବୋଲି ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ବିଭୂ ଜଣେ ପେସାଦାର ଅପରାଧୀ ହୋଇଥିବା ବେଳେ ତା’ର ନାମରେ ହତ୍ୟା, ଡକାୟତି, ରାହାଜନି ଭଳି ପ୍ରାୟ ୧୫ଟି ସଙ୍ଗିନ୍ ମାମଲା ରହିଥିବା ପୁଲିସ ସୂଚନା ଦେଇଛନ୍ତି। ଜଣେ କୁକୁଡ଼ା ଫାର୍ମ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ମାମଲାରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ୧୦ରାଉଣ୍ଡ୍ ଗୁଳି ଓ ୬ଟି ବୋମା ଜବତ ହୋଇଛି। କୋଲକାତାର ବୀରଭୂମରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।
ସୂଚନା ଅନୁସାରେ ଚମାଖଣ୍ଡି ଥାନା ନରେନ୍ଦ୍ରପୁର ଗ୍ରାମର ଦୂତୀକୃଷ୍ଣ ସାହୁ ଖଲ୍ଲିକୋଟ ଥାନା କଞ୍ଚଣା ପଞ୍ଚାୟତ ଘଡ଼କାରେ ଏକ କୁକୁଡ଼ା ଫାର୍ମ କରିଛନ୍ତି। ଗତ ୧୭ତାରିଖରେ ବିଭୂ ଫୋନ୍ ଯୋଗେ ଦୂତୀକୃଷ୍ଣଙ୍କୁ ଦାଦାବଟି ମାଗିଥିଲା। ହେଲେ ସେ ବଟି ଦେଇ ନଥିଲେ। ଫଳରେ ଗତ ୧୯ତାରିଖରେ ବିଭୂର ଇଙ୍ଗିତରେ ତା’ର ସହଯୋଗୀମାନେ କୁକୁଡ଼ା ଫାର୍ମ ଆଗରେ ବୋମାମାଡ଼ କରିଥିଲେ। ଘଟଣା ପରେ ସମସ୍ତେ ଚମ୍ପଟ ମାରିଥିଲେ। ପୁଲିସ ଏହି ଘଟଣାରେ କେସ୍ ନମ୍ବର ୧୭୩/୨୩ରେ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। ବିଭୂ କିଛି ଯୁବକଙ୍କୁ ନେଇ ତା’ର ଗ୍ୟାଙ୍ଗ୍ ଗଠନ କରିଥିଲା। ସେ ବ୍ୟବସାୟୀମାନଙ୍କୁ ଦାଦବଟି ମାଗୁଥିଲା। ଯେଉଁମାନେ ମନା କରୁଥିଲେ ତାଙ୍କୁ ଧମକ୍ ଦେଉଥିବା ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/10e5fc2e-aec8-41b2-a12d-fe5f27e7c78f.jpg)