ବଲାଙ୍ଗୀର/ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନାମଲେଖା ନାଁରେ ଠକେଇ ଅଭିଯୋଗ ଆସିଛି। ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ ହୋଇଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧିନ ବଳରାମପ୍ରସାଦର ମା’ମଙ୍ଗଳାସାହି ନିବାସୀ ସୁଶାନ୍ତ ମହାନ୍ତିଙ୍କ ପୁଅ ବ୍ୟାସଦେବ ମହାନ୍ତି (୨୮), କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଧିନ କେନ୍ଦୁଆପଡ଼ାର ସତ୍ୟନାରାୟଣ ପୁରୋହିତଙ୍କ ପୁଅ ଅବିନାଶ ଓରଫ କାହ୍ନା (୩୩) ଓ ନୟାଗଡ଼ ଓଡ଼ଗାଁରୁ ଆସି ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଝାରପଡ଼ା କେନାଲ ରୋଡରେ ରହୁଥିବା ସ୍ବର୍ଗତ ସରୋଜ କୁମାର ପରିଡ଼ାଙ୍କ ପୁଅ ମାନସ ପରିଡ଼ା (୩୧)।
ଜଣେ ଅଭିଯୋଗକାରୀଙ୍କ ଠାରୁ ଏତଲା ଗ୍ରହଣ କରିବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତମାନେ ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ଏହି କାର୍ଯ୍ୟାଳୟରୁ ଅଭିଯୁକ୍ତମାନେ ମେଡିକାଲ କଲେଜରେ ନାମ ଲେଖାଇବାକୁ ଚାହୁଁଥିବା ଯୁବକ-ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ବାରିପଦା, କୋରାପୁଟ ଓ ବଲାଙ୍ଗୀରସ୍ଥିତ ମେଡିକାଲ କଲେଜରେ ନାମ ଲେଖାଇ ଦେବାକୁ କହି ଅଭିଭାବକଙ୍କ ଠାରୁ ଟଙ୍କା ଠକେଇ କରୁଥିଲେ।
ପୁଲିସ ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୧ ଲକ୍ଷ ୯୦ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍, ୬ଟି ଡେବିଟ କାର୍ଡ, ୪ଟି ସିମ୍ କାର୍ଡ, ଅଫିସରୁ ବିଭିନ୍ନ ଜିନିଷ ଯଥା ଡାଏଣି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏଥି ସହିତ ପୁଲିସ ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି। ଅଭିଯୁକ୍ତମାନେ ନିଟ୍ରେ ବିଫଳ ହୋଇଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।