ଚେନ୍ ଲୁଟୁଥିଲେ; ସୁନା ଋଣ ଦେଉଥିବା ସଂସ୍ଥାରେ ବନ୍ଧା ରଖି ଟଙ୍କା ଆଣୁଥିଲେ, ୩ ଗିରଫ

୯ ସୁନା ଚେନ୍ ଓ ୭ ବାଇକ୍‌ ଜବତ  

ଖୋର୍ଦ୍ଧା: ସୁନା ଚେନ୍ ଲୁଟି କୌଣସି ବ୍ୟକ୍ତି କିମ୍ବା ସୁନା ଦୋକାନକୁ ବିକ୍ରି କଲେ ଧରାପଡ଼ିଯିବା ଭୟ ରହିଛି । ଏହାସହ କିଣୁଥିବା ବ୍ୟକ୍ତି ମଧ୍ୟ ଆଇନାନୁସାରେ ଗିରଫ ହେବ । ଏଣୁ ଲୁଟ ହୋଇଥିବା ସୁନାଚେନ୍‌ଗୁଡ଼ିକ ନେଇ ବିଭିନ୍ନ ଘରୋଇ ସୁନାବନ୍ଧା ରଖୁଥିବା ସଂସ୍ଥା ନିକଟରେ ବନ୍ଧା ରଖି ଟଙ୍କା ଆଣି ଅୟସ କରୁଥିଲେ । କେବଳ ଏହାନୁହେଁ ଲୁଟ ବେଳେ ଚୋରି କରିଥିବା ବାଇକ ଓ ନକଲି ନମ୍ବର ପ୍ଲେଟ୍ ବ୍ୟବହାର କରୁଥିଲେ, ଆଜି ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ଛିନତାଇ ଗ୍ୟାଙ୍ଗର ୩ ସଦସ୍ୟ ଧରାପଡ଼ିବା ପରେ ଏହି କଥା ପଦାରେ ପଡ଼ିଛି ।

ସୂଚନାନୁସାରେ, ଚଳିତ ମାସ ୧୪ ତାରିଖରେ ଖୋର୍ଦ୍ଧା ବ୍ୟାଙ୍କ ଛକରୁ ନୂଆ ବସଷ୍ଟାଣ୍ଡ ଯିବା ରାସ୍ତାରେ ପ୍ରୀତ ମିଶ୍ର ଓ ତାଙ୍କ ବନ୍ଧୁ ଲକ୍ଷ୍ମୀପ୍ରିୟା ଏକ ସ୍କୁଟିରେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ଏକ ମୋଟରସାଇକଲରେ ଆସି ସେମାନଙ୍କ ବେକରେ ଥିବା ସୁନାଚେନକୁ ଛଡ଼ାଇ ନେଇଯାଇଥିଲେ । ଏନେଇ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଖୋର୍ଦ୍ଧା ସହର ଓ ଆଖପାଖ ଅଂଚଳରେ ଏଭଳି ଏକାଧିକ ଲୁଟ ମାମଲା ଘଟିଥିବା ଦେଖି ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ଏହାର ତଦନ୍ତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ କହିଥିଲେ ।

ଏସଡିପିଓ ସୁଶୀଲ ମିଶ୍ର ଓ ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଡେପୁଟି ଏସ୍ପି ସଂଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ସୁକାନ୍ତ କୁମାର ଦଳାଇ, ଏସ୍ଆଇ ପଦ୍ମଲୋଚନ ବେହେରା, ଏଏସ୍ଆଇ ପ୍ରଦୀପ କୁମାର ପ୍ରଧାନ, କନଷ୍ଟେବଳ ଅବଦୁଲ ମାସି ଖାଁ, ପ୍ରଦୀପ କୁମାର ହରିଚନ୍ଦନ ଓ ସ୍ୱତନ୍ତ୍ର ଟିମ୍‌  ନେଇ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉରେ, ଗଡ଼ଖୋର୍ଦ୍ଧା ହାଉସିଂବୋର୍ଡ କଲୋନୀର କାଳିପ୍ରସାଦ ରାଉଳ (୨୬), ନନ୍ଦପୁର-ବାଜପୁରର ସୁନୀଲ ମାନସିଂହ ଓରଫ ଢେଗା (୨୮), ପୁରୀ ଗଡ଼ିଶାଗଦା ରାଇଘରପୁରର ବିଭୂତିଭୂଷଣ ସାହୁ (୩୨)ଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେମାନଙ୍କୁ ପଚରାଉଚୁରା କରିବା ସେମାନେ ଟିଏଲ୍ସି ରୋଡ୍, ନୂଆ ବସଷ୍ଟାଣ୍ଡ, ବ୍ୟାଙ୍କ ଛକ, ପିତାପଲ୍ଲୀ, ଯାଁଳା, ଭରତପୁର, ଜଟଣୀ ଓ ଭୁବନେଶ୍ୱରରେ ଏକାଧିକ ଲୁଟ କରିଥିବା କହିଥିଲେ । ସେମାନେ ଲୁଟିଥିବା ସୁନାଚେନ୍ ଗୁଡ଼ିକ ମଣାପୁରମ, ଆଇଆଇଏଫ୍ଏଲ୍ ରେ ବନ୍ଧାରଖି ଟଙ୍କା ଆଣିଥିଲେ । ସୁନାଚେନ ଗୁଡ଼ିକୁ ପୁଲିସ ଉକ୍ତ ଠିକଣାରୁ ଉଦ୍ଧାର କରିଛି । ଏହାସହ ସେମାନେ ଚୋରାଇଥିବା ୭ଟି ମୋଟର ସାଇକଲ ମଧ୍ୟ ଜବତ କରିଛି ।
ଏନେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଖୋର୍ଦ୍ଧା, ଜଟଣୀ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏକାଧିକ ଲୁଟରେ ସେମାନେ ସମ୍ପୃକ୍ତ । ଏହି ମାମଲାଗୁଡ଼ିକର ଅନୁଧ୍ୟାନ କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୯୨ରେ ୨୯୫/୨୦୨୨ ମାାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବା ସହ ମାମଲାର ଅଧିକ ତଦନ୍ତ ପାଇଁ ଅତିରିକ୍ତ ଥାନା ଅଧିକାରୀ ପ୍ରଜ୍ଞା ଋତମ୍ଭରା କରଙ୍କୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର