ମାଓବାଦୀଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଇବା ଅଭିଯୋଗରେ ଶିକ୍ଷକଙ୍କ ସମେତ ୩ ଗିରଫ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ଅଞ୍ଚଳରେ ମାଓବାଦୀଙ୍କୁ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୁଲିସ। ଏହି ବ୍ଳକରେ ଅଧିକାଂଶ ଦୁର୍ଗମଅଞ୍ଚଳ ରହିଥିବା ବେଳେ ଲାଲବାହିନୀ ନିଜର କାୟା ବିସ୍ତାର କରୁଛନ୍ତି। ଏଠାକାର ଅନେକ ଯୁବକଙ୍କୁ ବିଭିନ୍ନ ପ୍ରକାର ପ୍ରୋଲଭନ ଦେଖାଇ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇଦେବା ପାଇଁ କହୁଥିବା ଚର୍ଚ୍ଚା ମଧ୍ୟ ହେଉଛି।

ଏହି ପରିପ୍ରେକ୍ଷିରେ ଆଜି ତିନିଜଣ ଯୁବକ ମାଓବାଦୀଙ୍କୁ ସାମଗ୍ରୀ ଯୋଗାଉଥିବା ବେଳେ କଳାହାଣ୍ଡି ପୁଲିସ ଦ୍ୱାରା ଧରାପଡିଛନ୍ତି । କାଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବିବେକ ଶ୍ରବଣା ଏମ୍‌ଙ୍କ ସୂଚନା ଅନୁଯାୟୀ ଲାଞ୍ଜିଗଡରୋଡର ପ୍ରବୀଣ କୁମାର ରାଉତ(କବି) ତାଙ୍କ ପୁଅ ପ୍ରତିଦାନ ରାଉତ ଓ ଶକ୍ତି ସାମନ୍ତ ଦଳବେହେରା ମାଓବାଦୀଙ୍କୁ ସାମଗ୍ରୀ ଯୋଗାଉଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ତାଙ୍କ ଘରେ ଦୁଇଟି ୱାକିଟକି, ଚାର୍ଜର, ବ୍ୟାଟେରି, ୩ଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ୍ଣ ସାମଗ୍ରୀ ଜବତ ହୋଇଥିଲା। ଅଧିକ ପଚରାଉଚରା କରି ମାଓବାଦୀଙ୍କ ସହ ସଂପୃକ୍ତି ଥିବା ଅଭିଯୋଗରେ ତିନିଜଣଙ୍କୁ ଗିରଫ କରାଯାଇଛି ।

ତେବେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ମାନଙ୍କରେ ମାଓବାଦୀମାନେ ସକ୍ରିୟ ରହିଥିବା ବେଳେ ପୁଲିସ ସର୍ତକତା ଅବଲମ୍ବନ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପ୍ରବୀଣ କୁମାର ରାଉତ ଲାଞ୍ଜିଗଡରୋଡ ଅଞ୍ଚଳରେ ଶିକ୍ଷକତା କରୁଥିବା ବେଳେ ପୁଲିସ ପକ୍ଷରୁ ଚିଠି ଆସିଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର