ଜଳେଶ୍ଵର: ବାଲେଶ୍ଵର ଜିଲ୍ଲାର ରାଇବଣିଆ ପୁଲିସ ଏକ ଆନ୍ତଃରାଜ୍ୟ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ କରିଛି। ରାଇବଣିଆ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚୋରି ଘଟଣାରେ ରାଇବଣିଆ ପୁଲିସ ସ୍ଥାନୀୟ ଚୁଡାମଣିପୁର ଗ୍ରାମର ଜଣେ ରିସିଭର କୁହାଯାଉଥିବା ୧୯ ବର୍ଷୀୟ ଯୁବକଙ୍କୁ ମଧ୍ୟ ଗିରଫ କରିଛି। ତଦନ୍ତ ଚାଲୁଥିବାରୁ ଆଗାମୀ ଦିନରେ ଆହୁରି କିଛି ଗାଡ଼ି ଉଦ୍ଧାର ହୋଇ ପାରିବ ବୋଲି ଏସପି ଆଶାବ୍ୟକ୍ତ କରିଛନ୍ତି। ଉଦ୍ଧାର ହୋଇଥିବା ବାଇକ ଗୁଡିକର କାଗଜପତ୍ର ଆଇନ ପ୍ରକ୍ରିୟା ଅନୁସାରେ ପୁଲିସକୁ ଦେଖାଇଲେ ମାଲିକ ବାଇକ୍ ଫେରିପାଇବେ ଓ ଦିନକୁ ଦିନ ଗାଡ଼ି ଚୋରି ବୃଦ୍ଧି ପାଉଥିବାରୁ ସାଧାରଣ ଲୋକେ ସଚେତନ ହୁଅନ୍ତୁ ବୋଲି ଏସପି ପ୍ରକାଶ କରିଛନ୍ତି।
ବିବରଣୀରୁ ପ୍ରକାଶ ଯେ ଗତ ୧୬ ତାରିଖରେ ରାଇବଣିଆ ଥାନା ଅଧିନସ୍ଥ କିତାଝୁରି ସାପ୍ତାହିକ ହାଟରୁ ଅରୁଣ ମାରାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କ ଓଡି୦୧୫୫୮୩ ନମ୍ବରର ଏକ ବାଇକ ଚୋରି ହୋଇଯାଇଥିଲା। ତେବେ ଏହି ବାଇକ ଟିକୁ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇ ଜଣ ଦୃବୃତ୍ତ ଚଢି ପଳାଉଥିବା ବେଳେ ସେମାନଙ୍କୁ ରାଜନଗର ଗାଁ ନିକଟରେ ସ୍ଥାନୀୟ ଲୋକେ ବାଇକ୍ ସହ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ। ପୁଲିସର ତଦନ୍ତ ଆରମ୍ଭ କରି ଗିରଫ ଦୁଇ ଅଭିଯୁକ୍ତଙ୍କୁ ଜେରା କରିଥିଲା। ଜେରା ସମୟରେ ପୁଲିସକୁ ଯେଉଁ ତଥ୍ୟ ମିଳିଥିଲା ତାହା ତାଜୁବ କରି ଦେଇଥିଲା। ଏହି ଘଟଣାକୁ ବାଲେଶ୍ଵର ଜିଲ୍ଲା ପୁଲିସ ଗୁରୁତର ସହ ନେବା ସହ ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶରେ ରାଇବଣିଆ ଆଇଆଇସି ଗୋବିନ୍ଦ ବେହେରାଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ ଗଠନ କରାଯାଇଥିଲା।
ଚୋରି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ଆନ୍ତଃରାଜ୍ୟ ବାଇକ ଚୋର ବୋଲି ଏହି ଟିମକୁ ତଥ୍ୟ ମିଳିଥିଲା। ଏମାନଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ଜଣକ ପଶ୍ଚିମ ମେଦିନୀପୁର ଜିଲ୍ଲାର ଦାନ୍ତୁନ ଥାନା ଅଧିନସ୍ଥ କଣ୍ଟାଗଡିଆ ଗ୍ରାମରେ ଓ ସେହି ଗାଁରେ ତାର ଏକ ଛୋଟ ଗ୍ୟାରେଜ ରହିଛି। ମାତ୍ର ୨୪ ବର୍ଷୀୟ ଏହି ମାଷ୍ଟର ମାଇଣ୍ଡ ଜଣକ ଦାନ୍ତୁନ ଥାନା ତାରାରୁଇ ଗ୍ରାମର ୨୯ ବର୍ଷୀୟ ଅନ୍ୟ ଜଣେ ଯୁବକ ସହାୟତାରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଥିବା ହାଟ, ବଜାର, ଛକ ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନରୁ ଗାଡ଼ି ଚୋରି କରି ଗ୍ୟାରେଜକୁ ଆଣୁଥିଲା। ସେଠାରେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ବଦଳାଇବା ପରେ ଗରାଖ ଠିକ କରି ବିକ୍ରୀ କରାଯାଉଥିଲା।ଜେରା ସମୟରେ ଦୁଇ ଅଭିଯୁକ୍ତଙ୍କ ଠାରୁ ଯେଉଁ ସୂଚନା ମିଳିଥିଲା ସେହି ଆଧାରରେ ପଶ୍ଚିମବଙ୍ଗ ସମେତ ଜଳେଶ୍ଵର ଓ ରାଇବଣିଆ ଥାନା ଇଲାକାରେ ଉପରୋକ୍ତ ଟିମ ଚଢ଼ଉ କରି ୧୮ ଟି ଗାଡ଼ି ଉଦ୍ଧାର କରିଛି। ବାଇକ ଗୁଡିକ ମଧ୍ୟରୁ ଅଧିକାଂଶ ପ୍ରାୟ ବାଲେଶ୍ଵର ଜିଲ୍ଲାର ରାଇବଣିଆ, ଜଳେଶ୍ଵର, ଭୋଗରାଇ, ବାଲେଶ୍ଵର ସଦର, ମୟୂରଭଂଜ ଜିଲ୍ଲାର ମୋରଡ଼ା, ବାରିପଦା ଓ ପଶ୍ଚିମବଙ୍ଗର ଦାନ୍ତନ, ନୟାଗ୍ରାମ ଥାନା ଇଲାକାରୁ ଚୋରି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ଵର ଏସଡିପିଓ ଦିଲ୍ଲୀପ କୁମାର ସାହୁ,ରାଇବଣିଆ ଥାନାଧିକାରୀ ଗୋବିନ୍ଦ କୁମାର ବେହେରା ଉପସ୍ଥିତ ଥିଲେ। ଏସପିଙ୍କ ସୂଚନା ମୁତାବକ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଗ୍ୟାରେଜ ମାଲିକ ଏହି ଚୋରି ରାକେଟର କାର୍ପଟଦାର ଅଟନ୍ତି।