ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ମହାନତା ଦେଖାଇଛନ୍ତି। ସେ ଆଜି ନିଜର ପୁଲିସ ପଣିଆର ପରିଚୟ ଦେଇଛନ୍ତି। ବାଇକ୍ରେ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାର ସାମ୍ନା କରି ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ଗୋଟିଏ ପରିବାରର ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଛନ୍ତି। ଶ୍ରୀ ପଣ୍ଡା ଆହତମାନଙ୍କୁ ଦେଖି କାଳ ବିଳମ୍ବ କରି ନଥିଲେ। ନିଜ ଅଫିସ ଗାଡ଼ିରେ ନେଇ ସ୍ବାମୀ ଓ ସ୍ତ୍ରୀ ଏବଂ ସେମାନଙ୍କର ୩ ବର୍ଷର ଝିଅଙ୍କୁ ବିନିକା ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇଥିଲେ।
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଘାଟକଇତରା ଗ୍ରାମ ସନତ ଶତପଥି (୩୫), ସ୍ତ୍ରୀ ରୀନା ଶତପଥି ଓ ୩ ବର୍ଷର ଝିଅ ପୂର୍ବାହ୍ଣ ୧୦ଟାରେ ଉଲ୍ଲେ ଛକରେ ଥିବା ଏକ ହମ୍ପସରେ ବାଇକ୍ରୁ ଖସି ପଡ଼ିଥିଲେ। ହମ୍ପସ ପାଖରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ଛଟପଟ ହେଉଥିଲେ। ସହାୟତା ପାଇଁ ସେମାନେ ଚିତ୍କାର କରୁଥିଲେ। ଏହି ସମୟରେ ଏସ୍ପି ଶ୍ରୀ ପଣ୍ଡା ବିନିକା ଥାନାକୁ ଯାଉଥିଲେ। ସେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ସତନ, ରୀନା ଓ ୩ ବର୍ଷର ଶିଶୁକନ୍ୟାକୁ ଦେଖିଥିଲେ। ଆଖି ଆଗରେ ଅଘଟଣ ଦେଖି ଆଉ କାଳ ବିଳମ୍ବ ନ କରି ନିଜ ଅଫିସ ଗାଡ଼ିରେ ବିନିକା ହସ୍ପିଟାଲକୁ ସେମାନଙ୍କୁ ନେଇ ଯାଇଥିଲେ। ଡାକ୍ତରଖାନାରେ ତ୍ବରିତ ଚିକିତ୍ସା ସୁବିଧା ପାଇଲା ପରେ ସତନ, ରୀନା ଓ ଶିଶୁକନ୍ୟାଙ୍କ ସ୍ଥିତି ଭଲ ରହିଛି। ଏସ୍ପିଙ୍କ ମହାନ୍ କାମକୁ ସ୍ଥାନୀୟ ଅଂଚଳର ଲୋକେ ପ୍ରଶଂସା କରୁଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ, ବାଇକ୍ରେ ମହିଳା ଓ ଶିଶୁ ଧରି ଯାତ୍ରା କରୁଥିବା ସମୟରେ ସାବଧାନତା ରକ୍ଷା କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/4562a76c-6d08-450a-a4b5-6ba5e281bb8d.jpg)