ଗଞ୍ଜେଇ ଚୋରା ଚାଲାଣ ମାମଲା: ତିନି ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

କୋରାପୁଟ: କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ମହଲତ ସା’ ଏକ ଗଞ୍ଜେଇ ଚୋରାଚାଲାଣ ମାମଲାର ବିଚାରକରି ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ଏକ ଲକ୍ଷ ଟଙ୍କା ଜରିମାନା ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ଦୁଇବର୍ଷ ସଶ୍ରମ କାରାଦଣ୍ଡ। ଅଭିଯୁକ୍ତମାନେ ହେଲେ ଛତିଶଗଡ଼ କାଙ୍କେର ଅଞ୍ଚଳର କେଶବ କୁମାର ତାରେ (୩୫), ଛତିଶଗଡ଼ ବାଲୁଦ ଅଞ୍ଚଳର ଶୀତଲ ସିଂ (୪୮) ଓ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଡାଳିଗୁଡାର ଲକ୍ଷ୍ମଣ ଅଡାରି । ୮ ଜଣ ସାକ୍ଷୀଙ୍କ ବୟାନ ଓ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଅଦାଲତ ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି । ଜରିମାନା ଅନାଦେୟ ଆଉ ଦୁଇ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଅଦାଲତ।
ମିଲିଥିବା ସୂଚନା ଅନୁଯାୟୀ, ୨୦୧୬ ଅଗଷ୍ଟ ୨୫ ତାରିଖ ସକାଳୁ ମାଛକୁଣ୍ଡରୁ ଛତିଶଗଡ଼ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସବ ଇନ୍ସପେକ୍ଟର ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ମାଛକୁଣ୍ଡ ପୁଲିସ ଟିମ ଲମତାପୁଟ ଜୟପୁର ରାସ୍ତାର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଯାଞ୍ଚ କରୁଥିଲା । ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ଲମତାପୁଟ ସଗର ଆଡୁ ଏକ ସ୍ୱରାଜ ୧୧୧୦ ଟ୍ରକ୍‌ (ସିଜି ୪ ଜେଡି ୫୭୩୬)  ଆସୁଥିବା ଦେଖି ପୁଲିସ ଅଟକାଇବାରୁ ଗାଡିଟି ନ ଅଟକି ଦ୍ରୁତ ଗତିରେ ଚାଲିଯାଇଥିଲା । ପୁଲିସ ଗାଡିଟିର ପିଛା କରିବାରୁ ଗାଡି ମାଲିକ, ଡ୍ରାଇଭର ଏବଂ ଅନ୍ୟ ଜଣେ ରାସ୍ତାକଡରେ ଗାଡିଟିକୁ ରଖି  ଦୌଡ଼ିଯାଇ ପଳାଇ ଯାଇଥିଲେ । ଗାଡି ତନଖିକରିବାରୁ ପୁଲିସ  ଗାଡିରୁ ୧୨୦୦ କିଲୋ ଗଞ୍ଜେଇ ଜବତ କରିବା ସହ ଗାଡ଼ିରେ ବସିଥିବା କେଶବ ତାରେ, ଶୀତଲ ସିଂ ଓ ଲକ୍ଷ୍ମଣ ଅଡାରୀଙ୍କୁ  ଗିରଫ କରିଥିଲା।
ଫେରାର ହୋଇଯାଇଥିବା  ଅଭିଯୁକ୍ତ ମାନେହେଲେ ଛତିଶଗଡ଼ର ଗାଡି ମାଲିକ ସରିତା ତୁରେ, ଡ୍ରାଇଭର ନନ୍ଦକୁମାର ଓରଫ ସନ୍ତୋଷ କୁମାର ଓ ମାଛ କୁଣ୍ଡ ଅଂଚଳର ରାମାରାଓ ଖଡା। ଏନଡିପିଏସ ଆଇନ ଅନୁଯାଇ ମାଛକୁଣ୍ଡ ଥାନାରେ ଏକ ମାମଲା ନମ୍ବର ୫୫/୨୦୧୬ ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା । ପରବର୍ତ୍ତୀ ସମୟରେ ଗିରଫ ତିନି ଅଭିଯୁକ୍ତଙ୍କ ନାମରେ ପୁଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ କୋରାପୁଟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ ଅଦାଲତରେ କେଶ ନମ୍ବର ଟିଆର ୪୧/୨୦୧୬ ରେ ବିଚାର ଚାଲିଥିଲା । ଅଭିଯୁକ୍ତଙ୍କ ବିଚାର ଆଜି ଶେଷ ହୋଇଥିବା ବେଳେ ମାନ୍ୟବର ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ଜୟନ୍ତ କୁମାର ମିଶ୍ର ମାମଲାର ପରିଚାଳନା କରୁଥିଲେ ।
ସମ୍ବନ୍ଧିତ ଖବର