ଗୁଳି ବିନିମୟରେ ୩ ପିଏଲ୍‌ଏଫ୍‌ଆଇ ନିହତ : ୨ ଏକେ-୪୭ ସହ ୫ ବନ୍ଧୁକ ଜବତ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମଲା ଜିଲ୍ଲା କାମ‌ଡାରା ଥାନା ଅନ୍ତର୍ଗତ ଆମଟୋଲି ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନ ଓ ପିପୁଲ୍‌ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ସଦସ୍ୟମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଥିରେ ପିଏଲ୍‌ଏଫ୍‌ଆଇର ୩ ଜଣ ସଦସ୍ୟ ନିହତ ହୋଇଛନ୍ତି। ପିଏଲ୍‌ଏଫ୍‌ଅଇ ସୁପ୍ରିମୋ ଦିନେଶ ଗୋପ ତା’ର ସାଥୀମାନଙ୍କ ସହ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ଆଜି ଭୋର ପ୍ରାୟ ସାଢ଼େ ୬ଟାରେ ସିଆର୍‌ପିଏଫ୍‌ ଯବାନ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍‌ର କିଛି ସମୟ ଭିତରେ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ସହ ସିଆର୍‌ପିଏଫ୍‌ ଯବାନମାନଙ୍କର ମୁହାଁମୁହିଁ ହୋଇଥିଲା। ପ୍ରାୟ ଅଧଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସିଆର୍‌ପିଏଫ୍‌ ଯବାନଙ୍କ ଗୁଳିରେ ତିନି ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ନିହତ ‌ହେବା ପରେ ଦିନେଶ ଓ ତାର ସହଯୋଗୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଯବାନମାନେ ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ସମେତ ୫ଟି ବନ୍ଧୁକ ଏବଂ ଅନ୍ୟାନ୍ୟ ସାମଗ୍ରୀ ତଥା ତିନି ପିଏଲ୍‌ଏଫ୍‌ଆଇଙ୍କ ଶବକୁ ଜବତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ମାସ ହେବ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ପିଏଲ୍‌ଏଫ୍‌ଆଇ ଗତିବିଧି ଉପରେ ନଜର ରଖିବାକୁ ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତ ୨୫ ଦିନ ଭିତରେ ଯବାନଙ୍କ ଗୁଳିରେ ୯ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର