ବଲାଙ୍ଗୀର: ୧୪ ବର୍ଷ ସଜା କାଟିବୁ ଭାବିଥିଲୁ। ଦେଖୁ ଦେଖୁ ବିତିଗଲା ବର୍ଷ ପରେ ବର୍ଷ। ୧୮ ବର୍ଷ ୬ ମାସ ହେଲା ସରକାର ବୁଢ଼ା ବେଳେ ମୁକୁଳାଇଲେ। ଏବେ ଆଉ ଖୁସି କଣ? ମଲା ବେଳେ ମାଟି ଟିକିଏ ଦେଖିବୁ। ଏଭଳି କିଛି କୋହଭରା କଣ୍ଠରେ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜେଲରୁ ମୁକୁଳିଥିବା ଦୁଇ ଭାଇ ସମେତ ୩ କଏଦୀ।
ଲୋଇସିଂହା ଥାନା ଆଗଲପୁର ବ୍ଲକ୍ ଲୁହୁରାମୁଣ୍ଡା ଗାଁରେ ୧୯୮୫ ମସିହାରେ ଘଟିଥିଲା ଏକ ହତ୍ୟାକାଣ୍ଡ। ଉକ୍ତ ମାମଲାରେ ଲୁହୁରାମୁଣ୍ଡା ଗାଁର ୩ ଜଣ ସୁଫଳ ତାଣ୍ଡି (୯୦), ଭାଇ ସମାରୁ ତାଣ୍ଡି (୯୨) ଓ ପାଚିଲା ରାଉତ ଗିରଫ ହୋଇ ଜେଲ୍ ଯାଇଥିଲେ। ତିନିଜଣ ଯାକ ନିର୍ଦୋଷ ଥିବା କହି ହାଇକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ। କିନ୍ତୁ ମାମଲାର ଶୁଣାଣି ହୋଇ ଜେଲ୍ ଦଣ୍ଡାଦେଶ ହୋଇଥିଲା। ସେହି ଦିନରୁ ବଲାଙ୍ଗୀର ଜେଲ୍ ଭିତରେ ତିନିଜଣ ଥିଲେ। ବର୍ଷ ବର୍ଷ ବିତିଗଲା ପରେ ବି ଜେଲ୍ର ଚାରିକାନ୍ଥ ବାହାରକୁ ଯାଇପାରୁନଥିଲେ। ଏବେ ପରିଣତ ବୟସରେ ରାଜ୍ୟ ସରକାର ବିଭିନ୍ନ ଜେଲ୍ରୁ କଏଦୀଙ୍କୁ ମୁକୁଳାଇବାକୁ ନିର୍ଦ୍ଦେଶ ଦେବା ପରେ ସେହି ଅନୁସାରେ ଆଜି ତିନି ଜଣ ଜେଲ୍ ବାହାରକୁ ବାହାରିଥିଲେ। ସଂଧ୍ୟାରେ ଗାଁରୁ ପରିବାର ଓ ସଂପର୍କୀୟ ଆସି ଜେଲ୍ ଅଧୀକ୍ଷକ ସର୍ବେଶ୍ୱର ସାହୁଙ୍କୁ ସାକ୍ଷାତ କରି ସାଂଗରେ ସେମାନଙ୍କୁ ନେଇ ଯାଇଥିଲେ। ଯିବା ସମୟରେ ଜେଲ୍ ଭିତରେ ଆଚାର ବ୍ୟବହାର ଭଲ ଥିବାରୁ ତାଙ୍କୁ ଫୁଲମାଳ ଦେଇ ଜେଲ୍ ଅଧୀକ୍ଷକ ବିଦାୟ ଦେଇଥିଲେ। ଏପରିକି ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ଦିଆଯାଇଥିଲା। କିନ୍ତୁ ଜେଲ୍ରୁ ବାହାରିବା ପରେ ଖୁସି କହିଲେ କେବଳ ମା ମାଟି ଦେଖିବେ କହି ଭାବବିହ୍ୱଳ ହୋଇପଡ଼ିଥିଲେ ତିନି କଏଦୀ।