ଶ୍ରୀକ୍ଷେତ୍ରରେ ରଥଯାତ୍ରା: ରଥରେ ବିରାଜିବେ ମହାପ୍ରଭୁ, ଅପେକ୍ଷାରେ ଭକ୍ତ

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରରୁ ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି । ଭକ୍ତ ଶୂନ୍ୟ ଶ୍ରୀକ୍ଷେତ୍ରର ମାହୋଲ ଉତ୍ସବମୁଖର ହୋଇଛି । ଏହାରି ମହାପ୍ରଭୁଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହୋଇଯାଇଛି । ପ୍ରଭୁ ସୁଦର୍ଶନ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ବଡ଼ ଦେଉଳରୁ ରଥ ଅଭିମୁଖେ ଯାଉଛନ୍ତି । ପର୍ବୂାହ୍ନ ସାଢ଼େ ୧୧ଟା ପୂର୍ବରୁ ପହଣ୍ଡି ବିଜେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ରଥ ଉପରେ ଶ୍ରୀଜିଉମାନଙ୍କର ବିଭିନ୍ନ ନୀତି ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ହେଉଥିବାରୁ ଭକ୍ତମାନେ ରଥରୁଢ଼ ଠାକୁରଙ୍କୁ ଦର୍ଶନ କରିପାରୁ ନାହାନ୍ତି । ଏପରିକି ପୁରୀର ଲୋକେ ମଧ୍ୟ ନିଜ ଘରର ଛାତ ଉପରରୁ ଠାକୁରଙ୍କ ଦର୍ଶନ କରିପାରି ନାହାଁନ୍ତି । ଏଥି ପାଇଁ ସରକାର ପୂର୍ବରୁ ନିଦେ୍ର୍ଦଶନାମା ଜାରି କରିସାରିଛନ୍ତି । ଫଳରେ ଭକ୍ତମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ଟିଭି ମାଧ୍ୟମରେ ରଥଯାତ୍ରା ଦେଖିବା ।

ରଥଯାତ୍ରା ପାଇଁ ଆଜି ଭୋର ୪ଟା ୩୦ରୁ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହୋଇଥିଲା । ସେବାୟତମାନେ ସକାଳ ୫ଟାରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ କାର୍ଯ୍ୟ କରିଥିଲେ । ଏହା ପରେ ସାଢ଼େ ୫ଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ କରାଯାଇଥିଲା । ସକାଳ ୬ଟା ୩୦ରୁ ୭ଟା ୩୦ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ୩୦ ପର୍ଯ୍ୟନ୍ତ ମଦନ ମୋହନ ବିଜେ, ୧୨ଟା ୩୦ରେ ବେଶ ଶେଷ, ୧୨ଟା ୩୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚିତା ଲାଗି, ୧୨ଟା ୪୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛେରାପହଁରା, ୨ଟାରୁ ୩ଟା ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ନୀତି ହେବ । ଅପରାହ୍ନ ୩ଟାରୁ ରଥ ଟଣାଯିବ ।

ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ହେଉଥିବାରୁ କେବଳ ସୀମିତ ସେବାୟତଙ୍କ ଦ୍ୱାରା ରଥଯାତ୍ରା ହେଉଛି । ତେଣୁ ସାଧାରଣଭକ୍ତଙ୍କୁ ପୁରୀ ମନା ହୋଇଛି । ଜଗନ୍ନାଥ ଭକ୍ତଙ୍କୁ ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବାକୁ ପଡ଼ିବ । ରଥଯାତ୍ରା ପାଇଁ ପୁରୀ ସହରରେ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରକୁ ୧୨ଟି ଜୋନ କରାଯିବା ସହ ସହରର ମୁଖ୍ୟ ପ୍ରବେଶ ପଥ ଓ ବଡ଼ଦାଣ୍ଡ ଛାତ ଉପରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଚଳିତ ବର୍ଷ କରୋନା ଯୋଗୁଁ ଭକ୍ତଙ୍କୁ ପୁରୀ ମନା ହୋଇଥିବା ବେଳେ ସେବାୟତମାନେ ରଥ ଟାଣିବେ । ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ଯାଏଁ ୪୮ ଘଂଟା କର୍ଫ୍ୟୁ କଟକଣା ବଳବତ୍ତର ରହିବ ।

ସମ୍ବନ୍ଧିତ ଖବର