ଫିଲ୍ମ ଷ୍ଟାଇଲରେ ପୁଲିସ-ଡକାୟତ ମୁହାଁମୁହିଁ : କୁଟାସିଂହା ଗାଁ ଲୋକ ଓ ପୁଲିସ ମିଶି କାବୁ କଲେ

୩ ଗିରଫ, ୨ ଫେରାର, ଏସ୍‌ପିଙ୍କ ଅନୁଧ୍ୟାନ

ବଲାଙ୍ଗୀର/ଲୋଇସିଂହା : ଫିଲ୍ମ ଷ୍ଟାଇଲରେ ଡକାୟତି। ତାପରେ ଫେରାର ଡକାୟତ ଗ୍ୟାଙ୍ଗ୍। ହେଲେ ଲୁଟ୍‌ର ଶିକାର ବ୍ୟକ୍ତି ପୁଲିସକୁ ଖବର କରିବା ପରେ ପୁଲିସ ଚାରିଆଡ଼େ କରିଥିଲା ନାକାବନ୍ଦି। ଆଉ ଡକାୟତ ଗ୍ୟାଙ୍ଗ୍ ବେଶି ଦୂରକୁ ଯାଇପାରି ନଥିଲେ। ଲୋଇସିଂହା ଥାନା କୁଟାସିଂହା ଗାଁ ଜଙ୍ଗଲ ରାସ୍ତାରେ ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ। ଲାପ୍‌ଟପ୍‌ ଓ ଟଙ୍କା ଲୁଟ କରି ଫେରାର ମାରୁଥିବା ଡକାୟତ ଧରିଥିଲେ ବନ୍ଧୁକ। ବନ୍ଧୁକ ଦେଖାଇ ପୁଲିସ ଓ ଉପସ୍ଥିତ ଲୋକଙ୍କୁ ଭୟଭୀତ କରିଥିଲେ। ହେଲେ ସାହସ ଜୁଟାଇ ପୁଲିସ ଓ କୁଟାସିଂହା ଅଂଚଳର ଲୋକେ ସମସ୍ତଙ୍କୁ ଘେରିଯାଇଥିଲେ। ତାପରେ ୨ ଜଣ ଫେରାର ମାରିଥିବା ବେଳେ ଆଉ ୩ ଜଣ ଖସି ନପାରି ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ। ପୂରା ଘଟଣାର ଭିଡିଓ ବି ଏବେ ଭାଇରାଲ। ଗିରଫ ୩ ଡକାୟତଙ୍କୁ ପୁଲିସ ଥାନାରେ ପଚରାଉଚୁରା କରୁଛି। ବଲାଙ୍ଗୀର ଏସ୍‌ପି ମଧ୍ୟ ଘଟଣାର ଅନୁଧ୍ୟାନ କରୁଛନ୍ତି।

ପ୍ରକାଶ ଯେ, ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମର ଜନରଞ୍ଜନ ନାୟକ ଝାରମୁଣ୍ଡା ଠାରେ ଏକ କିଓସ୍କ ସେଣ୍ଟର ଖୋଲିଛନ୍ତି। ଶନିବାର ସକାଳ ସାଢ଼େ ୯ଟାରେ ସେ ନିଜ ଭାଇ ଜ୍ୟୋତିରଞ୍ଜନଙ୍କ ସହିତ ଝାରମୁଣ୍ଡାକୁ ବାଇକରେ ଯାଉଥିଲେ। ରାସ୍ତାରେ ଆମପାଲି ଛକରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିବା ସହିତ ପିସ୍ତଲ ଦେଖାଇ ଲାପ୍‌ଟପ୍‌, ମୋବାଇଲ ଓ ବ୍ୟାଗରେ ଥିବା ୩୫ ହଜାର ଟଙ୍କା ତଥା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡ଼ାଇ ନେଇ ଲୋଇସିଂହା ପଟକୁ ଫେରାର ହୋଇ ଯାଇଥିଲେ। ଏନେଇ ଜନରଞ୍ଜନ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏନେଇ ଲୋଇସିଂହା ଥାନା ସମେତ ବିଭିନ୍ନ ଥାନାକୁ ଖବର ଦେଇ ନାକାବନ୍ଦି କରିଥିଲେ। ଡକାୟତମାନେ ସାଲେଭଟା- କୁଟାସିଂହା ରାସ୍ତାରେ ଥିବା ରେଲୱେ ଲେଭେଲ କ୍ରସିଂଠାରେ ପହଂଚିବା ପରେ ଗେଟ୍ ବନ୍ଦ ଥିବାରୁ ସେଠାକାର ଜଗୁଆଳି ମୁଣ୍ଡରେ ପିସ୍ତଲ ରଖି ଗେଟ ଖୋଲିବାକୁ କହିଥିଲେ। ଜଗୁଆଳି ଜଣକ ଭୟରେ ଗେଟ ଖୋଲିଦେବାରୁ ଡକାୟତମାନେ କୁଟାସିଂହା ଗ୍ରାମ ପଟକୁ ଫେରାର ମାରିଥିଲେ।

ସେମାନଙ୍କୁ ପିଛା କରୁଥିବା ଲୋଇସିଂହା ପୁଲିସ ସମେତ ସହିତ ସ୍ଥାନୀୟ ଗ୍ରାମବାସୀ କୁଟାସିଂହା ନିକଟରେ ମୁହାଁମୁହିଁ ହୋଇଥିଲେ। ସେଠାରେ ଡକାୟତ ଦଳ ପିସ୍ତଲ ଦେଖାଇ ପୁଲିସକୁ ଭୟଭୀତ କରିବା ସହିତ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ବାସିନ୍ଦାଙ୍କ ଢେଲାମାଡ଼ ଓ ଚାରିପଟୁ ପୁଲିସ ଘେରିଯିବା ଦେଖି ଡକାୟତମାନେ ଆତ୍ମସମର୍ପଣ କରିଥିଲେ। ଧସ୍ତାଧସ୍ତି ମଧ୍ୟରେ କିଛି ପୁଲିସ କର୍ମଚାରୀଙ୍କ ସହିତ ଡକାୟତମାନେ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। କିଛି ଲୋକ ଡକାୟତ ଦଳରେ ୫ ଥିବା କହୁଥିବା ବେଳେ ଆଉ କିଛି ଲୋକ ୪ ଜଣ ଥିବା କହୁଛନ୍ତି। ଗିରଫ ଡକାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଂଚଳ ଏବଂ ଅନ୍ୟ ଦୁଇଜଣ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଂଚଳର ବୋଲି ଜଣାଯାଇଛି। ସେମାନଙ୍କ ସାଙ୍ଗରେ ଥିବା ଝାଡ଼ଖଣ୍ଡ ଅଂଚଳର ଆଉ ଜଣେ ଡକାୟତ ଫେରାର ଥିବା ଖବର ମିଳିଛି। ଲୋଇସିଂହା ଡାକ୍ତରଖାନାରେ ପୁଲିସ ଡକାୟତଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ଅଧିକ ପଚରାଉଚୁରା କରୁଛି। ଅପରାହ୍ନରେ ବଲାଂଗୀର ଏସ୍‌ପି ନିତିନ କୁଶଳକର ଦାଗୁଡୁ, ସଦର ଏସଡିପିଓ ଶ୍ରୀମନ୍ତ ବାରିକ ଲୋଇସିଂହା ଥାନାରେ ପହଞ୍ଚି ଡକାୟତ ଦଳକୁ ପଚରା ଉଚୁରା କରିଥିଲେ। ଗଣମାଧ୍ୟମକୁ ପରେ ଅଧିକ ସୂଚନା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର