ଶିକ୍ଷକ ବଦଳି ପ୍ରତିବାଦରେ ୩ ସ୍କୁଲରେ ତାଲା,ବଦଳି ନାଁରେ ଶିକ୍ଷକ ଖାଲି

କଣ୍ଟାମାଳ: ଶିକ୍ଷକ ବଦଳିକୁ ନେଇ କଣ୍ଟାମାଳ ବ୍ଲକ୍‌ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବାଦରେ ୩ଟି ସ୍କୁଲରେ ଅଭିଭାବକମାନେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି। ବଦଳି ନାଁରେ ସ୍କୁଲଗୁଡ଼ିକରୁ ଶିକ୍ଷକ ଖାଲି କରି ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବ୍ଲକ୍‌ର ଶିମିଳିପଦର ପଞ୍ଚାୟତ ଫଗୁଣାମାଳ ଗାଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବ୍ୟବସ୍ଥା ରହିଛି। ଗତ କିଛିଦିନ ତଳେ ଶିକ୍ଷା ବିଭାଗ ବଡ଼ଧରଣର ଅଦଳ ବଦଳ କରିଥିଲା। ଉକ୍ତ ବଦଳିରେ ଏହି ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ବଦଳି ହୋଇଗଲା। ଉଚ୍ଚପ୍ରାଥମିକ ସ୍କୁଲରୁ ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କେମିତି ଅବସ୍ଥାପିତ କରାଗଲା ତାହା ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପାଇଁ ଗ୍ରାମବାସୀ ଶୁକ୍ରବାର ବ୍ଲକ୍‌ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ସମ୍ପୃକ୍ତ ଅଧିକାରୀ ନିଜର ଅସହାୟତା ପ୍ରକାଶ କରିବାରୁ ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ମେଣ୍ଡିଲୀ, ବିରୁପାକ୍ଷ ମେଣ୍ଡିଲୀ ପ୍ରମୁଖ ଶୁକ୍ରବାରଠାରୁ ଫଗୁଣାମାଳ ସ୍କୁଲରେ ତାଲା ପକାଇଛନ୍ତି।

ଏହି ଶିକ୍ଷକ ବଦଳି ଯୋଗୁଁ ପଥର୍ଲା ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ବଦଳି ହୋଇଥିବା ଶିକ୍ଷକଙ୍କ ବଦଳରେ ନୂତନ ଶିକ୍ଷକଙ୍କୁ ଅବସ୍ଥାପିତ କରାଯାଇ ନାହିଁ। ଏଥିରେ ଅତିଷ୍ଠ ହୋଇ ଗ୍ରାମର ପ୍ରକାଶ ନାଏକ, ପ୍ରଫୁଲ୍ଲ ଷାଣ୍ଢ ପ୍ରମୁଖ ସ୍କୁଲରେ ତାଲା ପକାଇଛନ୍ତି। ସେହିପରି ଶିମିଳିପଦର ସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି। ୨ ଜଣ ଶିକ୍ଷକଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି। ସଚିତ୍ର ମେଣ୍ଡିଲୀ, ଭାସ୍କର ମନହୀରା, ସମାଜସେବୀ ମୁନା ଖେତୀ, ସୁଶାନ୍ତ ମିଶ୍ର ପ୍ରମୁଖ ସ୍କୁଲରେ ତାଲା ପକାଇଛନ୍ତି। ଏ ସମ୍ପର୍କରେ କଣ୍ଟାମାଳ ଏବିଇଓ ଫାଲଗୁନି ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ସ୍କୁଲଗୁଡ଼ିକରେ ଆବଶ୍ୟକ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି କରାଯିବାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର