ମଦ ବିକ୍ରିକୁ ଏସ୍‌ଏଚ୍‌ଜି ମହିଳାଙ୍କ ବିରୋଧ : ଆଶା କର୍ମୀଙ୍କୁ ଭୁଜାଲି ମାଡ଼, ବାପ-ପୁଅ ସମେତ ୩ ଜେଲ୍‌ ଗଲେ

ଡୁଡୁକା/ଲୋଇସିଂହା : ବେଆଇନ ମଦ କାରବାରକୁ ବିରୋଧ କରିବାରୁ ଜଣେ ଆଶାକର୍ମୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି। ବଲାଂଗୀର ଜିଲ୍ଲା ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ୍‌ ଝରଣୀପାଲି ପଞ୍ଚାୟତର ପଥରମୁଣ୍ଡା ଗାଁରେ ଏପରି ଘଟଣା ଘଟିଛି। ଗାଁର ଆଶାକର୍ମୀ ଗୀତାଞ୍ଜଳି ମୁଦୁଲି ଭୁଜାଲି ଚୋଟରେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ପୁଲିସ ଏହି ଘଟଣାରେ ତଦନ୍ତ କରୁଛି। ବେଆଇନ ମଦ କାରବାର ଓ ମରଣାନ୍ତକ ଆକ୍ରମଣ ଅଭିଯୋଗକୁ ଭିତ୍ତି କରି ପୁଲିସ ୨ଟି ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେ‌ଲେ ପଥରମୁଣ୍ଡା ଗାଁର ବାପ-ପୁଅ ରାତୁ ଭୋଇ ଓ ସଂକୀର୍ତ୍ତନ ଭୋଇ ଏବଂ ବରଗଡ଼ ଜିଲ୍ଲା ଗାଈସିଲାଟ ଥାନା ଅନ୍ତର୍ଗତ କୁର୍ଲୁବାହାଲ ଗାଁର ଦୈତାରି ବରିହା। ଏମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ପଥରମୁଣ୍ଡା ଗାଁରେ ରାତୁ ଓ ସଂକୀର୍ତ୍ତନ ଚୋରା ମଦ ବିକ୍ରି କରୁଥିଲେ। ଏହାକୁ ଗାଁର ୮ଟି ଏସ୍‌ଏଚ୍‌ଜି ମହିଳାମାନେ ବିରୋଧ କରିଥିଲେ। ଏଥିରେ ସଂକୀର୍ତ୍ତନ ଉତକ୍ଷିପ୍ତ ହୋଇ ଆଶା କର୍ମୀ ଗୀତାଞ୍ଜଳିଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆହତ ଗୀତାଞ୍ଜଳିଙ୍କୁ ଗ୍ରାମବାସୀ ଉଦ୍ଧାର କରିବା ସହ ଲୋଇସିଂହା ପୁଲିସକୁ ଖବର ଦେଇଥିଲେ। ପୁଲିସ ସଂକୀର୍ତ୍ତନଙ୍କ ଘରେ ଚଢ଼ଉ କରି ୪୦ଲିଟର ଦେଶୀ ମହୁଲି ରନ୍ଧା ମଦ, ୪କୁଇଣ୍ଟାଲ ମହୁଲ ପୋଚ, ମଦରନ୍ଧା ସାମଗ୍ରୀ ଜବତ କରିଥିଲା। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଉକ୍ତ ତିନିଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର