ଆହାର କେନ୍ଦ୍ରକୁ ଆଚାର ଯୋଗାଇ‌ବେ ତିନି ଏସ୍‌ଏଚ୍‌ଜି

ବର୍ଷକୁ ୩୦୦ ଟନ୍, ପ୍ରତି ଏସ୍‌ଏଚ୍‌ଜିର ବାର୍ଷିକ ଲାଭ ୬ଲକ୍ଷ ହେବ

ଭୁବନେଶ୍ବର : ରାଜ୍ୟର ୧୬୬ଟି ଆହାର କେନ୍ଦ୍ର ଏବେ ସ୍ବୟଂସହାୟିକା‌ ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏଠାରେ ଏବେ ତିନିଟି ଏସ୍‌ଏଚ୍‌ଜି ଦ୍ବାରା ବି ଆଚାର ଯୋଗାଯିବ। ପ୍ରତି ଆହାର ପ୍ଲେଟ୍‌ରେ ୧୦ ଗ୍ରାମ୍‌ର ଆଚାର ଦିଆଯିବ। ସାରା ରାଜ୍ୟରେ ଆହାର କେନ୍ଦ୍ରକୁ ଦିନକୁ ଏକ ମେଟ୍ରିକ୍ ଟନ୍ ହିସାବରେ ବର୍ଷକୁ ୩୦୦ ମେଟ୍ରିକ୍‌ ଟନ୍ ଆଚାର ଯୋଗାଯିବ ବୋଲି ନିଷ୍ପତ୍ତି ହୋଇଛି।

ଏଥିପାଇଁ ମିସନ୍ ଶକ୍ତି ବିଭାଗ ରାଜ୍ୟ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ସୁଡା) ସହ ମିଶି ବାରିପଦା, ବ୍ରହ୍ମପୁର ଏବଂ ଢେଙ୍କାନାରେ ତିନିଟି ଆଚାର ଉତ୍ପାଦନ ୟୁନିଟ୍ ସ୍ଥାପନ କରୁଛି। ପ୍ରତି ୟୁନିଟ୍‌ ପିଛା ୮୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହେବାକୁ ଥିବା ବେଳେ ଏଥିରୁ ୪୭ଲକ୍ଷ ଟଙ୍କା କେବଳ ଘର ନିର୍ମାଣ ଏବଂ ଆନୁଷଙ୍ଗିକ ସୁବିଧା ପାଇଁ ଖର୍ଚ୍ଚ ହେବ। ଆଚାର ଉତ୍ପାଦନ ସାଗମ୍ରୀ ଓ ମେସିନ୍ କିଣିବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ସ୍ବୟଂସହାୟିକା ଗୋଷ୍ଠୀକୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଋଣ ଆକାରରେ ଯୋଗାଇ ଦିଆଯିବ। ଏଥିପାଇଁ ବାରିପଦାରେ ମା’ ଦୁର୍ଗା ଏସ୍‌ଏଚ୍‌ଜି, ବ୍ରହ୍ମପୁରରେ ବିଘ୍ନେଶ୍ବର-୨ ଏସ୍‌ଏଚ୍‌ଜି ଏବଂ ଢେଙ୍କାନାଳରେ ମହାସଙ୍ଗମ ମିସନ୍ ଶକ୍ତି ଏଏଲ୍‌ଏଫ୍‌କୁ ଦାୟିତ୍ବ ଦିଆଯାଇଛି। ଏହି ତିନିଟି ଏସ୍‌ଏଚ୍‌ଜି ଆଚାର ଉତ୍ପାଦନ ପାଇଁ ‌ମହୀଶୂରସ୍ଥିତ ସେଣ୍ଟ୍ରାଲ ଫୁଡ୍‌ ଟେକ୍ନୋଲୋଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ସହ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ତିନି ସଂସ୍ଥା ଆମ୍ବ, ଲେମ୍ବୁ, ଗାଜର, ଅଦା, ଲଙ୍କା ଆଦି ଆଚାର ପ୍ରସ୍ତୁତ କରି ଯୋଗାଇବେ। ଏଥିପାଇଁ ସେମାନେ କଞ୍ଚା ସାମଗ୍ରୀ କିଣି ସାରିଲେଣି।

ମିସନ୍ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏକ କେଜି ଆଚାର ପ୍ରସ୍ତୁତି ପାଇଁ ୪୫ ଟଙ୍କା ଖର୍ଚ୍ଚ ହେବ। ଏହାକୁ ୫୧ ଟଙ୍କାରେ ବିକିବାକୁ ପ୍ରସ୍ତାବ ରହିଛି। ପ୍ରତି ଏସ୍‌ଏଚ୍‌ଜି ୧୦ଟି ଜିଲ୍ଲାକୁ ୧୦୦ ମେଟ୍ରିକ୍ ଟନ୍ ଆଚାର ଯୋଗାଇବେ। ଏହାଦ୍ବାରା ପ୍ରତି ୟୁନିଟ୍‌ରେ ବର୍ଷକୁ କେବଳ ୬ ଲକ୍ଷ ଟଙ୍କା ଲାଭ ହେବ ବୋଲି ଆକଳନ କରାଯାଇଛି। ଯେପରି ଆଚାରର ଗୁଣାତ୍ମକମାନ ରହିବ ଏବଂ ଏହା ସୁବିଧାରେ ଆହାର କେନ୍ଦ୍ରରେ ପହଞ୍ଚିବ, ସେଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ବୈଷୟିକ ଟିମ୍ ଯୋଗାଇ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ମିସନ୍ ଶକ୍ତି ବିଭାଗ କାର୍ଯ୍ୟ କରୁଥିବାବେଳେ ୫ ବର୍ଷରେ ୫ ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ଦୁଇ ବର୍ଷରେ ବିଭିନ୍ନ ବିଭାଗ ସହ କାମ କରି ଏସ୍‌ଏଚ୍‌ଜିଗୁଡ଼ିକୁ ୨୮୦୦ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ସାରିଲାଣି।

ସମ୍ବନ୍ଧିତ ଖବର