ରାଉରକେଲା: ଦୁଇ ବର୍ଷ ପୂର୍ବେ ବାପାଙ୍କୁ ହରାଇଥିଲେ ମଧୁସୂଦନପାଲିର ତିନି ଭଉଣୀ। ଫଳରେ ଆର୍ଥିକ ସ୍ଥିତି ଅତି ଦୁର୍ବଳ ହୋଇପଡ଼ିଥିଲା। ପରିବାର ଭରଣପୋଷଣ ପାଇଁ ମା’ ମଧ୍ୟ ଦିନ ମଜୁରିଆଭାବେ ମୂଳ ଲାଗୁଥିଲେ; ତଥାପି ଯଥେଷ୍ଟ ନ ହେବାରୁ ମଝିଆ ଭଉଣୀ ମଧ୍ୟ ଏକ ଫ୍ୟାକ୍ଟ୍ରିରେ କାର୍ଯ୍ୟରମ୍ଭ କରିଥିଲେ। ସେଥିରେ ଯହା ଆୟ ହେଉଥିଲା, କଷ୍ଟେମଷ୍ଟେ ଚଳୁଥିଲେ ୪ ପ୍ରାଣୀ। ତେବେ ଆଜି ହଇଜା ମା’ ସାବିତ୍ରୀ ଗିରିଙ୍କ ଜୀବନ ନେଇଯାଇଛି। ଏବେ ତିନି ଭଉଣୀ ଛେଉଣ୍ଡ। କେମିତି ପରିବାର ଚଳିବ? ତିନିଭଉଣୀଙ୍କ ଭବିଷ୍ୟତ କ’ଣ ହେବ? ତା’ଉପରେ ଆଶଙ୍କା ଦେଖାଗଲାଣି।
Advertisment
publive-image
ଦୁର୍ଗାପୁର ପାହାଡ଼ର ପାଦଦେଶରେ ରୁହନ୍ତି ସମଗ୍ର ପରିବାର। ଘରକୁ ଯିବାକୁ ହେଲେ ସ୍ଥାନୀୟ ମଧୁସୂଦନପାଲି ଉଚ୍ଚ ପ୍ରାଥମିକ ସ୍କୁଲଠାରୁ ଚାଲିଚାଲି ଯିବାକୁ ପଡ଼ିଥାଏ। ତାଙ୍କ ଘରକୁ ବାଇକ୍‌ରେ ଯିବାକୁ କସରତ କରିବାକୁ ହୁଏ। ପ୍ରାୟ ଦୁଇ ବର୍ଷ ପୂର୍ବେ ସ୍ବାମୀ ରବି ଗିରିଙ୍କ ମୃତ୍ୟୁ ହେବାପରେ ସାବିତ୍ରୀ ତିନି ଝିଅ ଶୀଳା(୨୧), ରଶ୍ମୀ(୧୭) ଓ ରଞ୍ଜିତା(୧୫)ଙ୍କ ସହ ରହୁଥିଲେ। ବଡ଼ ଝିଅ ସେକ୍ଟର ଅଞ୍ଚଳରେ ନିଜ ପିଉସୀଙ୍କ ଘରେ ରହୁଥିବାବେଳେ ଅନ୍ୟ ଦୁଇ ଝିଅଙ୍କ ସହ ରହୁଥିଲେ ସାବିତ୍ରୀ। ଆର୍ଥିକ ସ୍ଥିତି ଅତି ଦୁର୍ବଳ ହୋଇପଡ଼ିବାରୁ ମଝିଆ ଝିଅ ଉପାର୍ଜନ କରିବା ଆରମ୍ଭ କରିଥିଲେ। ସାବିତ୍ରୀ ଦନ ମଜୁରିଆଭାବେ କାମ କରୁଥିବାବେଳେ ମଝିଆ ଝିଅ ସ୍ଥାନୀୟ ମଧୁସୂଦନପାଲିରେ ଥିବା ଏକ ବାଦାମ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ। ପରିବାର ଭରଣପୋଷଣ ଓ ସାନ ଝିଅର ଶିକ୍ଷା ପାଇଁ ଆୟ ଯଥେଷ୍ଟ ନଥିଲା। ଏଣୁ ସେମାନେ କଷ୍ଟେମଷ୍ଟେ ଜୀବନ ଜିଉଁଥିଲେ। ତେବେ ଗତ ସୋମବାର ମଧ୍ୟାହ୍ନରେ ସାବିତ୍ରୀ ସାମାନ୍ୟ ଅସୁସ୍ଥ ‌ଅନୁଭବ କରିଥିଲେ। ପରେ ତାଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା।
ତେବେ ସ୍ଥିତି ଗୁରୁତର ହେବା ଜାଣି ତାଙ୍କୁ ପ୍ରଥମେ ରାଜସ୍ଥାନ ସେବା ସଦନକୁ ନିଆଯାଇଥିଲା। ତେବେ ସେଠାରେ ରୋଗୀ ଭର୍ତ୍ତି ଥିବାରୁ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)କୁ ନିଆଯାଇଥିଲା। ତେବେ ଆର୍‌ଜିଏଚ୍‌ରେ ବି ଭର୍ତ୍ତି କରିନପାରିବାରୁ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି। ଅପରାହ୍ନ ପ୍ରାୟ ୪ଟାରେ ମୃତ ଦେହ ମଧୁସୂଦନପାଲି ଉଚ୍ଚ ପ୍ରାଥମିକ ସ୍କୁଲ ନିକଟକୁ ଅଣାଯିବାପରେ କାନ୍ଦବୋବାଳିରେ ଅଞ୍ଚଳ ଫାଟି ପଡ଼ିଥିଲା। ତିନି ଝିଅଙ୍କ ଆଖିରୁ ଲୁହ ବନ୍ଦ ହେବାର ନାଁ ନେଉନଥିଲା। ଏମିତିକି ମଝିଆ ଝିଅ ରଶ୍ମୀ କିଛି ସମୟ ପାଇଁ ନିର୍ବାକ୍‌ ହୋଇଯିବା ସହ ତଳେ ପଡ଼ିଯାଇଥିଲେ। ହଇଜା ଯେ ତିନି ଭଉଣୀଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି; ତାହା ନିଃସନ୍ଦେହ।