କୀଟନାଶକ ନେଲା ୩ ଭଉଣୀଙ୍କ ଜୀବନ : ଚାଉଳ ଓ ଔଷଧ ନମୁନା ସଂଗ୍ରହ, ଭୟରେ ଗାଁ ଛାଡ଼ିଲେ ୧୫ ପରିବାର

ଦିଗପହଣ୍ଡି : ଚାଉଳ ଲାଳୁଆ ନ ହେବାକୁ ବ୍ୟବହୃତ କୀଟନାଶକ ଔଷଧର (ଆଲୁମିନିୟମ୍ ଫସଫାଇଡ୍) ଉତ୍କଟ ଗନ୍ଧ ନେଲା ୩ କୋମଳମତି ଭଉଣୀଙ୍କ ଜୀବନ। ୨୪ ଘଣ୍ଟା ଭିତରେ ତିନି ଭଉଣୀ ଆଗପଛ ହୋଇ ଆଖି ବୁଜିଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧୀନ ବି.ତୁରୁବୁଡ଼ି ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଆଜି ସମସ୍ତଙ୍କୁ ସ୍ତବ୍ଧ ଓ ଶୋକାଭିଭୂତ କରିଦେଇଛି।

ଗତକାଲି ଏହି ଗନ୍ଧର ପ୍ରଭାବରେ ଗ୍ରାମର ମୋହନ ରେଡ୍ଡୀଙ୍କ ନାତୁଣୀ ଟିକିନା ରେଡ୍ଡୀ (୬) ଓ ଟିକିନାଙ୍କ ମାଉସୀ ଝିଅ ସୋମା (୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବଡ଼ଭଉଣୀ ବର୍ଷା (୧୨) ମଧ୍ୟ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶେଷରେ ପ୍ରାଣ ହରାଇଛି। ଆଈ କସ୍ତୁରୀ ରେଡ୍ଡୀଙ୍କ ଅବସ୍ଥା ବି ସଂକଟାପନ୍ନ ରହିଥିବା ଜଣାପଡ଼ିଛି। ଖାଲି ଏତିକି ନୁହେଁ, ଆଖପାଖ ଘରକୁ ଏହି ଉତ୍କଟ ଗନ୍ଧ ବ୍ୟାପିଯିବାରୁ ଗାଁରେ ଆତଙ୍କ ଖେଳିଯାଇଛି। ଫଳରେ ୧୫ଟି ପଡ଼ୋଶୀ ପରିବାର ଘରେ ତାଲା ଠୁଙ୍କି ଅନ୍ୟତ୍ର ପଳାଇଛନ୍ତି।

ଅନ୍ୟପକ୍ଷରେ ଆଜି ଗ୍ରାମକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇ ସ୍ଥିତି ପରଖିବା ସହ ଚାଉଳ ଓ କୀଟନାଶକ ଔଷଧର ନମୁନା ସଂଗ୍ରହ କରିଛନ୍ତି। କିଭଳି ଭାବେ ଓ କେତେ ପରିମାଣରେ ଏହି ଔଷଧକୁ ପ୍ରୟୋଗ କରାଯାଇଥିଲା ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

ମୃତକ ସୋମା ଓ ବର୍ଷା ହେଉଛନ୍ତି ସାନଖେମୁଣ୍ଡି ବ୍ଲକ୍‌ ମାଟିଆବୋରେଇ ଗ୍ରାମର ପବିତ୍ରୀ ରେଡ୍ଡୀଙ୍କ ଝିଅ ଓ ଟିକିନା ହେଉଛି ଜଗନ୍ନାଥ ରେଡ୍ଡୀଙ୍କ ଝିଅ। ଦୁଇ ଭାଇ ଜଗା ଓ ପବିତ୍ର ଭୁବନେଶ୍ବରରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସେମାନଙ୍କ ତିନି ଝିଅକୁ ଅଜା ମୋହନଙ୍କ ପାଖରେ ବି.ତୁରୁବୁଡ଼ି ଗ୍ରାମରେ ଛାଡ଼ି ଦେଇଥିଲେ। ୩ ଭଉଣୀ ଅଜା ଘରେ ରହି ପାଠ ପଢ଼ୁଥିଲେ। ଗତ ଗୁରୁବାର ଦିନ ମୋହନଙ୍କ ଘରେ ଗଚ୍ଛିତ ଥିବା ଚାଉଳ‌ ପୋକରା ଓ ଲାଳୁଆ ନ ହେବାକୁ ସେଥିରେ କୀଟନାଶକ ଔଷଧ ପକାଯାଇଥିଲା। ଉକ୍ତ କୋଠରିରେ ତିନି ଭଉଣୀ ଓ ଆଈ କସ୍ତୁରୀ ଶୋଇଥିଲେ। କୌଣସି ଝରକା ନ ଥିବାରୁ ଔଷଧର ବିଷାକ୍ତ ଗନ୍ଧରେ ସେମାନେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ଗତକାଲି ସକାଳ ପ୍ରାୟ ୭ଟାରେ ଟିକିନାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନିଆ ଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ନିଜ ଗାଁ ମାଟିଆବୋରେଇ ଗ୍ରାମ ଶ୍ମଶାନରେ ଦାହ କରାଯାଇଥିବା ବେଳେ ଅପରାହ୍‌ଣ ୪ଟାରେ ପୁଣି ଏକ ଦୁଃଖଦ ଖବର ଆସିଲା। ଏଥିରେ ଟିକିନାଙ୍କ ମାଉସୀ ଝିଅ ଭଉଣୀ ସୋମା ବି ପ୍ରାଣ ହରାଇଥିଲେ। ଆଉ ଆଜି ସକାଳେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବର୍ଷା ବି ଆଖି ବୁଜି ଦେଇଥିଲେ। ସେପଟେ ଘରେ ଥିବା ଚାଉଳ ବସ୍ତା ସ୍ଥାନାନ୍ତର କରିବାକୁ ଆସିଥିବା ପଡ଼ୋଶୀ ଉଆଳି ଓ କୈଳାସ ବି ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ଉଭୟ ଚିକିତ୍ସିତ ହୋଇ ଫେରିଛନ୍ତି। ତେବେ ଆଈ କସ୍ତୁରୀଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି।

ଅନ୍ୟପକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଆଜି ଗ୍ରାମକୁ ଯାଇ ସ୍ଥିତି ପରଖିବା ସହ ମୋହନଙ୍କ ସହ ଆଲୋଚନା କରିଥିଲେ। ଏଡିପିଏଚ୍ଓ ଅବନୀ ପାତ୍ରଙ୍କ ନେତୃତ୍ବରେ ଏପିଡେମୋକୋଲୋଜିଷ୍ଟ ସାବିତ୍ରୀ ରାଉତ, ଝରିପଦର ସ୍ୱାସ୍ଥ୍ୟକେନ୍ଦ୍ର ଡା.ନିବେଦିତା ନନ୍ଦ, ସ୍ଵାସ୍ଥ୍ୟ ସୁପରଭାଇଜର ଶିବଶଙ୍କର ପାଢ଼ୀ ଓ ସୁରେନ୍ଦ୍ର ନାଥ ବେହେରାଙ୍କୁ ନେଇ ଗଠିତ ୪ଜଣିଆ ଟିମ୍ ଆଜି ଗ୍ରାମକୁ ଯାଇଥିଲେ। ମୋହନଙ୍କ ଘରେ ୨୫ କିଲୋ ଲେଖାଏଁ ୧୭ଟି ଚାଉଳ ବସ୍ତା ଥିଲା। ଗତ ୨୬ ତାରିଖରେ ଏଥିରେ କୀଟନାଶକ ଔଷଧ ସ୍ପ୍ରେ କରାଯାଇଥିଲା। ଝରକା ନଥିବାରୁ ପିଲାମାନେ ଗନ୍ଧରେ ଅଣନିଃଶ୍ବାସୀ ହୋଇଯାଇଥିବା ଜଣାପଡ଼ିଛି। ସମସ୍ତ ଚାଉଳ ବସ୍ତା ସହ କୀଟନାଶକ ଔଷଧର ପ୍ୟାକେଟ୍ ସବୁ ସଂଗ୍ରହ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର