ବଲାଙ୍ଗୀରରେ ପହଞ୍ଚିଲା ୩ ଶ୍ରମିକ‌ ସ୍ପେସାଲ ଟ୍ରେନ୍‌, ଆସିଲେ ୩୦ ଜିଲ୍ଲାର ୨୭୪୮ ପ୍ରବାସୀ

ବଲାଙ୍ଗୀର : ସୋମବାର ତିନିଟି ଶ୍ରମିକ ସ୍ପେସାଲ ଟ୍ରେନ୍‌ ବଲାଙ୍ଗୀର ଆସି ପହଞ୍ଚିଛି। ଆନ୍ଧ୍ରପ୍ରଦେଶର ଭାଇଜାଗରୁ ଆସିଥିବା ପ୍ରଥମ ଟ୍ରେନ୍‌ ନିର୍ଦ୍ଧାରିତ ସମୟ ଭୋର୍‌ ୫ଟାର ଏକ ଘଣ୍ଟା ପୂର୍ବରୁ ଆସି ପହଞ୍ଚିଥିଲା। ଫଳରେ ପ୍ରବାସୀ ଶ୍ରମିକ ବେଶ୍‌ କିଛି ସମୟ ଟ୍ରେନରେ ଅପେକ୍ଷା କରି ରହିଥିଲେ। ଅପରାହ୍ନରେ ତାମିଲନାଡ଼ୁର ତିରୁବଲ୍ଲୁରରୁ ଓ ସଂଧ୍ୟାରେ ଗୁଜୁରାଟର ରାଜକୋଟରୁ ଏକ ଟ୍ରେନ ଆସି ପହଞ୍ଚିଛି। ରାଜ୍ୟର ୩୦ଟି ଯାକ ଜିଲ୍ଲାର ମୋଟ ୨୭୪୮ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ଷ୍ଟେସନରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ସର୍ବାଧିକ ୧୫୦୭ ଯାତ୍ରୀ ଥିଲେ। ସେହିପରି ସୁନ୍ଦରଗଡ଼ର ୨୩ ଜଣ, ବରଗଡ଼ର ୫୬, ‌ସୁବର୍ଣ୍ଣପୁରର ୨୦, ବୌଦ୍ଧର ୬, କଳାହାଣ୍ଡିର ୨୧୦, ନୂଆପଡ଼ାର ୨୨୫, ନବରଙ୍ଗପୁରର ୩୩, କୋରାପୁଟର ୨୨, ମାଲକାନଗିରିର ୧୩, କେନ୍ଦୁଝରର ୨୯, ମୟୂରଭଞ୍ଜର ୨୬, ଗଞ୍ଜାମର ୧୧୮, ଖୋର୍ଦ୍ଧାର ୪୨, ଗଜପତିର ୨୮, ପୁରୀର ୨୨, ଢେଙ୍କାନାଳର ୭୧, ଅନୁଗୁଳର ୨୧, କେନ୍ଦ୍ରାପଡ଼ାର ୩୭, ଯାଜପୁରର ୩୪, ଜଗତସିଂହପୁରର ୨୬, କଟକର ୪୫, ବାଲେଶ୍ବରର ୬୫, ରାୟଗଡ଼ାର ୨୪, ନୟାଗଡ଼ର ୧୦, ସମ୍ବଲପୁରର ୪, ଭଦ୍ରକର ୧୫, କନ୍ଧମାଳର ୧, ଦେବଗଡ଼ର ୧୨ ଓ ଝରସୁଗୁଡ଼ାର ୩ ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ଷ୍ଟେସନରେ ଓହ୍ଲାଇଥିଲେ।

ଶ୍ରମିକଙ୍କ ସ୍ଥାନାନ୍ତରଣ ପାଇଁ ସହରର ବିଭିନ୍ନ ରାସ୍ତାରେ ଭୋର୍‌ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା। ପ୍ଲାଟଫର୍ମରୁ ବାହାରକୁ ଆସିବା ପରେ ସମସ୍ତ ଶ୍ରମିକଙ୍କ ପଞ୍ଜୀକରଣ ସହ ସ୍କ୍ରିନିଂ କରାଯାଇଥିଲା। ସଂପୃକ୍ତ ଜିଲ୍ଲାରୁ ଆସିଥିବା କିଛି ବସ ଓ ବଲାଙ୍ଗୀରର ସରକାରୀ ଓ ଘରୋଇ ବସରେ ସେମାନଙ୍କୁ ନିଜ ଜିଲ୍ଲାକୁ ପଠାଇଦିଆଯାଇଛି। ବସ୍‌ ଆସି ନଥିବା କିଛି ଜିଲ୍ଲାର ଶ୍ରମିକଙ୍କୁ ବଲାଙ୍ଗୀର ସହରର ସଙ୍ଗରୋଧ କେନ୍ଦ୍ରରେ ଅସ୍ଥାୟୀ ଭାବରେ ରଖାଯାଇଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଏସପି ମଡ଼କର ସନ୍ଦୀପ ସମ୍ପତଙ୍କ ତତ୍ତ୍ବାବଧାନରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବ୍ୟବସ୍ଥାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର