ରାଉରକେଲା : ବିଦ୍ୟୁତ କାଟ୍ ପରେ ବଢ଼ି ଯାଇଛି ଶିଳ୍ପୋଦ୍ୟୋଗୀଙ୍କ ଚିନ୍ତା। ନିୟମିତ ଭାବେ ବିଦ୍ୟୁତ ବିଲ୍ ପୈଠ କରୁଥିଲେ ହେଁ ବର୍ଦ୍ଧିତ ବିଲ୍ ସେମାନଙ୍କୁ ବେଶ୍ ବାଧୁଛି। ଗୋଟିଏ ପଟେ କଞ୍ଚାମାଲ୍ ନ ମିଳିବା ଅନ୍ୟପଟେ ସରକାରଙ୍କ ବର୍ଦ୍ଧିତ ବିଜୁଳି ଛାଟ୍ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୮୦% ଛୋଟ କାରଖାନା ମାଲିକଙ୍କୁ ବେଶ୍ ପ୍ରଭାବିତ କରିଛି। ଗତ ମାସକ ମଧ୍ୟରେ ତିନିଟି ଶିଳ୍ପ ଉଦ୍ୟୋଗ ବନ୍ଦ ରହିଛି। ସେଗୁଡିକ ମଧ୍ୟରେ ରହିଛି ଆଇଡିସି କଲୁଙ୍ଗାର ଅନେଷ୍ଟି ଟାଏ ଅଫ୍ ପ୍ରାଇଭେଟ୍ ଲିମିଟେଡ୍, ଶୁଭ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ ଓ ବିଶାଲ ଫେରୋ ପ୍ରାଇଭେଟ୍ ଲିମିଟେଡ୍। ଆସନ୍ତା ୨/୩ ମାସ ଭିତରେ ଆହୁରି ଅନେକ ଶିଳ୍ପରେ ତାଲା ଝୁଲିବାକୁ ଯାଉଛି ବୋଲି ଶିଳ୍ପ ଉଦ୍ୟୋଗୀମାନେ କହିଛନ୍ତି।
ସେମାନେ କହିଛନ୍ତି; ଶିଳ୍ପୋଦ୍ୟୋଗୀ ସଂଘ ବାରମ୍ବାର ଦାବି ସତ୍ବେ ସରକାର କୌଣସି ଠୋସ୍ ପଦକ୍ଷେପ ନେଉ ନାହାନ୍ତି। ନିକଟରେ ଶିଳ୍ପମନ୍ତ୍ରୀ ରାଉରକେଲା ଗସ୍ତ ଅବସରରେ ସୁନ୍ଦରଗଡ ଜିଲ୍ଲାର ସ୍ଥିତି ସଂକ୍ରାନ୍ତରେ ବଣିକ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ବର୍ଦ୍ଧିତ ବିଲ୍କୁ କିପରି ହ୍ରାସ କରାଯାଇ ପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ପର୍ଯ୍ୟନ୍ତ ଶିଳ୍ପ ବିଭାଗ ସକାରାତ୍ମକ ପଦକ୍ଷେପ ନ ନେଇ ଚୁପ୍ ବସିଛନ୍ତି। ଏଥି ସକାଶେ ଜିଲ୍ଲାରେ ଚାଲିଥିବା ୪୦% ଉଦ୍ୟୋଗୀ ଓଡ଼ିଶା ଛାଡ଼ି ଦେବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବିଭିନ୍ନ କଳ କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କ ଚିନ୍ତା ବଢ଼ି ଯାଇଛି। ଯଦି ରୁଗ୍ଣ ଅବସ୍ଥାରେ ଚାଲୁଥିବା ୨୧ରୁ ଅଧିକ ଶିଳ୍ପ ବନ୍ଦ ହୋଇଯାଏ ତେବେ ୪ ହଜାର ଅଧିକ ଶ୍ରମିକ କର୍ମ ସଂସ୍ଥାନ ହରାଇବେ। ପରିବାର ପ୍ରତିପୋଷଣ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେବେ। ସେମାନେ ଆହୁରି ମଧ୍ୟ କହିଛନ୍ତି ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ଇସ୍ପାତ ଓ ଲୁହା ଉଦ୍ୟୋଗର ଅଭିବୃଦ୍ଧିକୁ ପ୍ରାଥମିକତା ଦେଉଛନ୍ତି। ଓଡ଼ିଶାରେ ଇସ୍ପାତ ଓ ଲୁହା ଉଦ୍ୟୋଗଗୁଡ଼ିକରୁ ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ୫ଟଙ୍କା ୮୫ ପଇସା ନିଆଯାଉଛି। ଛତିଶଗଡ଼ରେ ୟୁନିଟ୍ ପିଛା ୪ଟଙ୍କା ୩୪ ପଇସା ଓ ଝାଡ଼ଖଣ୍ଡରେ ୟୁନିଟ୍ ପିଛା ୩ ଟଙ୍କା ୭୦ ପଇସା ନିଆଯାଉଛି। ଝାଡ଼ଖଣ୍ଡରେ ଓଡ଼ିଶାଠାରୁ ୟୁନିଟ୍ ପିଛା ୨ଟଙ୍କା ୧୫ ପଇସା କମ୍ ରହିଛି। ଏହିପରି ଭାବେ ୧ ଟନ୍ ଇନ୍ଗଟ୍ ପ୍ରସ୍ତୁତି ପାଇଁ ୧୦୦୦ ୟୁନିଟ୍ ବିଜୁଳି ଖର୍ଚ୍ଚ ହେଉଛି, ଅର୍ଥାତ୍ ୫ ହଜାର ୫୦୦ ଟଙ୍କା ଦେବାକୁ ପଡୁଛି। ଯାହା ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗଠାରୁ ଢ଼େର ଅଧିକ ରହିଛି। ଏସବୁ କାରଣ ପାଇଁ ଓଡ଼ିଶାର ଚାଲିଥିବା ପ୍ରାୟ ୭୪ରୁ ଅଧିକ ଇସ୍ପାତ ଓ ଲୁହା ଉଦ୍ୟୋଗ ମଧ୍ୟରୁ ୪୨ଟି ବନ୍ଦ ହୋଇଯାଇଛି। ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସରକାର ଶିଳ୍ପର ଅଭିବୃଦ୍ଧି ପାଇଁ ବିଦ୍ୟୁତ୍ ଶୁଳ୍କ ହ୍ରାସ କରୁଥିବାବେଳେ ଓଡ଼ିଶା ସରକାର ଏଥିରେ ପଛଘୁଞ୍ଚା ଦେବା ଉଦ୍ୟୋଗପତିଙ୍କୁ ଚିନ୍ତାରେ ପକାଇଛି।
ଶିଳ୍ପ ଉଦ୍ୟୋଗୀଙ୍କ ଯୁକ୍ତି ହେଲା, ଗୋଟିଏ ୟୁନିଟ୍ ସ୍ଥାପନ ପାଇଁ ୫ରୁ ୮ କୋଟି ଖର୍ଚ୍ଚ ହୋଇଥାଏ। ଏସବୁ ଇସ୍ପାତ ଉଦ୍ୟୋଗରେ ଇଣ୍ଡକ୍ସନ ଫର୍ଣ୍ଣେସ ୟୁନିଟ୍ର ପ୍ରମୁଖ ଭୂମିକା ରହିଥାଏ। ଗୋଟିଏ ଟନ୍ ଇନ୍ଗଟ୍ ପ୍ରସ୍ତୁତି ପାଇଁ ପ୍ରାୟ ୧ ହଜାର ୟୁନିଟ୍ ବିଜୁଳି, ଅର୍ଥାତ୍ ୫ ହଜାର ୫୦୦ ଟଙ୍କାର ବିଜୁଳି ଖର୍ଚ୍ଚ ହୁଏ। କିନ୍ତୁ ଛତିଶଗଡ଼ରେ ସେଥିପାଇଁ ୪ ହଜାର ୧୦୦ ଓ ଝାଡ଼ଖଣ୍ଡରେ ୩୫୦୦ ଟଙ୍କାର ବିଜୁଳି ଖର୍ଚ୍ଚ ହୁଏ। ତେଣୁ ଜିଲ୍ଲାର ଆତ୍ମନିଯୁକ୍ତି ସହ ଶିଳ୍ପର ଅଭିବୃ୍ଦ୍ଧି ପାଇଁ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ନ ହେଲେ ଆସନ୍ତା ଦିନରେ ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପ ଶୂନ୍ୟ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।