ସ୍କୁଲ୍ ଫାଟକରେ ଜଗିଥିଲା ମୃତ୍ୟୁ, କାର ଧକ୍କାରେ ୩ ଛାତ୍ର ମୃତ

ସୋନପୁର : ଆଉ କିଛି ସମୟ ପରେ ପହଞ୍ଚିଥାନ୍ତେ ଘରେ। ପରୀକ୍ଷା ସରିବା ପରେ ସ୍କୁଲରୁ ବାହାରି ଛାତ୍ରମାନେ ହସଖୁସିରେ ଘରକୁ ଯିବାକୁ ବାହାରିଥିଲେ। ତେବେ ଶରଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର କପିଳ ଭୁଏ(୧୩), ଷଷ୍ଠ ଶ୍ରେଣୀର ଛାତ୍ର ସୁବ୍ରତ ଭୋଇ(୧୧) ଓ ରା‌ଜେଶ ପେରା(୧୧) ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ରାଜା ପେରା(୧୦)ଙ୍କ ପାଇଁ ନିୟତି ଲେଖିଥିଲା ଭିନ୍ନ କିଛି। ସୋନପୁର-ବିନିକା ରାସ୍ତାର ଶରଧାପାଲିଠାରେ ଥିବା ଏହି ସ୍କୁଲର ଫାଟକ ନିକଟରେ ହିଁ ସେମାନଙ୍କୁ ଧକ୍କା ଦେଇଥିଲା ଏକ କାର୍‌। ଅର୍ଜୁନପୁରରୁ ବିନିକା ଆସୁଥିବା ଏହି କାର୍‌ ଧକ୍କାରେ ରାସ୍ତାରେ ଛିଟିକି ପଡ଼ିଥିବା ୪ ଜଣ ଛାତ୍ର। ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ସୁବ୍ରତ ଭୋଇ ଓ ରାଜା ପେରାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗୁରୁତର ଥିବା ରାଜେଶ ପେରାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତେବେ ୧୦୮ ଆମ୍ବୁଲାନ୍ସରେ ବୁର୍ଲା ଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପ୍ରଚାରିତ ହେବାକ୍ଷଣି ଶରଧାପାଲି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଛାତ୍ରଙ୍କ ମୃତଦେହ ରଖି ଲୋକେ ରାସ୍ତା ଅବରୋଧ କରିଥିଲେ। ଜିଲ୍ଳାପାଳ ଅବୋଲି ସୁନୀଲ ନରୱଣେ, ଏସପି ଅମରେଶ ପଣ୍ଡା, ସୋନପୁର ଉପଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏବଂ ଅତିରିକ୍ତ ତହସିଲଦାର ପ୍ରମୋଦ ମେହେର ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କ୍ଷତିପୂରଣର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହ ୩ ମୃତ ଛାତ୍ରଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ଆହତ ଛାତ୍ରଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ଘୋ‌ଷଣା କରିଛନ୍ତି। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା କାର ଜବତ କରିଛି ଓ ଡ୍ରାଇଭରକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର