ପୋଖରୀରେ ବୁଡ଼ି ୩ ଛାତ୍ର ମୃତ

କୋରାପୁଟ : ନିର୍ବନ୍ଧ ଭୋଜିରେ ଯୋଗ ଦେବାକୁ ଆସିଥିବା ୩ ଜଣ ପିଲା ପୋଖରୀରେ ବୁଡ଼ିଯିବା ଭଳି ଦୁଃଖଦ ଘଟଣା କୋରାପୁଟ ସହରରେ ଶୋକର ଛାୟା ଖେଳାଇ ଦେଇଛି। ସହର ମଧ୍ୟରେ ଥିବା ନରେନ୍ଦ୍ର ସରୋବରରେ ଘଟିଛି ଏହି ଅଘଟଣ। ମୃତ ପିଲାମାନେ ହେଲେ ଗୁଣପୁରର ଜେ. ଶ୍ରୀନିବାସଙ୍କ ପୁଅ ଜେ. ମାଣିକଣ୍ଟା, ଜେ. କୋଟେଶ୍ୱରଙ୍କ ପୁଅ ଜି. ମନୋହର ଓ ରାୟଗଡ଼ାର ଟି. ଅଞ୍ଜନିଆଙ୍କ ପୁଅ ଟି. ଭରତ। ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏମାନେ ସମସ୍ତେ ନିଜ ପିତାମାତାଙ୍କ ଏକମାତ୍ର ପୁତ୍ରସନ୍ତାନ ଥିଲେ। ପୁଅକୁ ହରାଇ ଟି. ଅଞ୍ଜନିଆ ହୃଦଘାତର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଜଗନ୍ନାଥ ମନ୍ଦିର ନିକଟରେ ଥିବା ସାଇ ମନ୍ଦିରରେ ଆଜି ଏହି ନିର୍ବନ୍ଧ ଉତ୍ସବ ଓ ଭୋଜି ହେଉଥିଲା। ସ୍ଥାନୀୟ ପରଜା ସାହିର ଜଣେ ଝିଅର ନିର୍ବନ୍ଧରେ ଯୋଗ ଦେବାକୁ ତାଙ୍କ ସଂପର୍କୀୟମାନେ ଆସିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ରାୟଗଡାର ଟି. ଅଞ୍ଜନିଆ, ଗୁଣପୁରର ଜେ.ଶ୍ରୀନିବାସ ଏବଂ ଜେ.କୋଟେଶ୍ୱରଙ୍କ ପରିବାର। ନିର୍ବନ୍ଧ ଭୋଜି ଚାଲିଥିବା ବେଳେ ମାଣିକଣ୍ଟା(୧୧ବର୍ଷ), ମନୋହର (୯ବର୍ଷ) ଓ ଭରତ (୧୪ବର୍ଷ) ନିକଟରେ ଥିବା ଶିଶୁ ଉଦ୍ୟାନକୁ ଚାଲିଯାଇଥିଲେ। ମରାମତି ପାଇଁ ଏବେ ଏହି ଶିଶୁ ଉଦ୍ୟାନ ବନ୍ଦ ରହିଥିଲେ ମଧ୍ୟ ଫାଟକ ଖୋଲା ଥିଲା। ସେମାନେ ଉଦ୍ୟାନ ଭିତରେ ଥିବା ନରେନ୍ଦ୍ର ସରୋବରକୁ ଯାଇ ଗାଧୋଇଥିଲେ। ମାତ୍ର ପାଦ ଖସିଯିବାରୁ ୩ଜଣ ଯାକ ପାଣିରେ ବୁଡି ଯାଇଥିଲେ। ପରେ ସେଠାରେ କାମ କରୁଥିବା ଲୋକେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ନିର୍ବନ୍ଧ ଭୋଜିରେ ଯୋଗ ଦେବାକୁ ଆସି ୩ଜଣ ଛାତ୍ରଙ୍କର ମୃତ୍ୟୁ ହେବା ପ୍ରଚାରିତ ହେବା ପରେ ସହରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତ ୩ ଜଣ ଛାତ୍ରଙ୍କ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ପରିବେଶ ଫାଟି ଉଠିଥିଲା।

ସମ୍ବନ୍ଧିତ ଖବର