ଜୟପୁର: କଳାପ୍ରତି ସର୍ମପଣ ମନୋଭାବ ଯୋଗୁଁ ବହୁ ବଣମଲ୍ଲୀ ଓ ଲୁକ୍କାୟିତ ପ୍ରତିଭାକୁ ଓଡିଶୀ,ଶାସ୍ତ୍ରୀୟ, ଲୋକନୃତ୍ୟ ସହ ଅତ୍ୟାଧୁନିକ ନୃତ୍ୟକ୍ଷେତ୍ରରେ ପରିସ୍ପୁଟିତ କରି ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟସ୍ତରକୁ ପହଚାଂଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ଜୟପୁର ସହରର ତିନିଜଣ ନୃତ୍ୟଗୁରୁ। ଏମାନେ ହେଲେ କାହ୍ନୁ ପ୍ରଧାନ , ପଂଚାନନ (ମୁନ୍ନା) ମିଶ୍ର ଓ ସୁସ୍ମିତା ରଥ।
ଗୁରୁ କାହ୍ନୁ ପ୍ରଧାନ
ବଂଶ ପରମ୍ପରା ଅନୁଯାୟୀ ଗୁରୁ କାହ୍ନୁ ପ୍ରଧାନ(୭୧) ଭୁବନେଶ୍ବରରେ ଗୁରୁ ଗଙ୍ଗାଧର ପ୍ରଧାନ, ଶାନ୍ତୁନୁ ଦାସଙ୍କ ଠାରୁ ଓଡିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଂଗୀତରେ ଗୁରୁ ଜିଏନ୍ ରାଓଙ୍କ ଠାରୁ ତାଲିମ ନେଇଥିଲେ। ୧୯୮୫ମସିହାରେ ଜୟପୁର କଳାକେନ୍ଦ୍ର ନାଁରେ ଜୟପୁରରେ ସେ ଅନୁଷ୍ଠାନ ଆରମ୍ଭ କରିଥିଲେ। ଦୀର୍ଘ ତିନି ଦଶନ୍ଧି ମଧ୍ୟରେ ସେ ୩୪୦୦ପିଲାଙ୍କୁ ଓଡିଶୀ, ଲୋକନୃତ୍ୟ(ଢ଼େମସା, ରିଂଜୋଡି), ସମ୍ବଲପୁରୀ ଆଦି ନୃତ୍ୟର ପ୍ରଶିକ୍ଷଣ ଦେଇ ଆସିଥିବା କହିଛନ୍ତି ଗୁରୁ କାହ୍ନୁ । ରାଜ୍ୟର ବିଭିନ୍ନ ଲୋକମହୋତ୍ସବ ସହ ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ମୁମ୍ବାଇ, ରାୟପୁର ଆଦି ସ୍ଥାନରେ ନୃତ୍ୟ କରି ଦଳ ଉଚ୍ଚ ପ୍ରଶଂସିତ ହୋଇଛି। ଆଜି ବି ବୟସର ସାୟହ୍ନରେ ସେ ହାର ମାନି ନାହାନ୍ତି। ଜିଲ୍ଲାସଂସ୍କୃତି ବିଭାଗ ପକ୍ଷରୁ ଦୁରୁଆଙ୍କ ନୃତ୍ୟ, ସଂଗୀତ, ବାଜା, ବାଜଣା ଆଦି ଉପରେ ସେ ସ୍ବତନ୍ତ୍ର ଡକ୍ୟୁମେଣ୍ଟସନ ପ୍ରସ୍ତୁତି କାମରେ ବି ନିଜକୁ ନିୟୋଜିତ କରିଛନ୍ତି।
ମୁନ୍ନା ମିଶ୍ର
ପିଲାଟି ବେଳରୁ ମନରେ ନୃତ୍ୟ, ସଂଗୀତ, ଅଭିନୟ ପ୍ରତି ଥିବା ରୁଚି ନିଶା ଓ ପେସାରେ ପାଲଟିଯାଇଛି। ଦୀର୍ଘ ୩୦ ବର୍ଷ ହେବ ସେ ଜୟପୁରରେ ମୀରା ଡ୍ୟାନସ୍ ଏକାଡେମୀ ସ୍ଥାପନ କରି ୨୦୦୦ପିଲାଙ୍କୁ ନୃତ୍ୟ, ସଂଗୀତ ଓ ଅଭିନୟର ପ୍ରଶିକ୍ଷଣ ଦେଇଛନ୍ତି। ରାଜ୍ୟର ବିଭିନ୍ନ ଲୋକମହୋତ୍ସବ ସହ ଦିଲ୍ଲୀ, ଦୁର୍ଗାପୁର, କଲିକତା, ଗୋଆ ଆଦି ସ୍ଥାନରେ ଓଡିଶୀ, ଭାରତର ସବୁ ଲୋକନୃତ୍ୟ, ସମ୍ବଲପୁରୀ, ଢ଼େମସା, ରିଂଜୋଡି ଆଦି ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମୁନ୍ନାଙ୍କ ପତ୍ନୀ ପୁଷ୍ପାଂଜଳୀ, ଦୁଇ ଝିଅ ନୃତ୍ୟ ଦଳର ମେରୁଦଣ୍ଡ। ବସ୍ତି ଅଂଚଳର ଏବଂ ବିଭିନ୍ନ ଗ୍ୟାରେଜ, ଦୋକାନରେ କାମ କରୁଥିବା ପୁଅ ପିଲାଙ୍କୁ ନେଇ ମୁନ୍ନା ଦଳ ଗଠନ କରିଥିଲେ। ଖାସ୍ କରି ଗ୍ରାମଂଚଳର ଲୁକ୍କାୟିତ ବଣମଲ୍ଲୀଙ୍କୁ ପ୍ରଶିକ୍ଷଣ ଦେବାରେ ବେଶି ଆନନ୍ଦ ବୋଲି କହିଛନ୍ତି ମୁନ୍ନା। ୨୦୧୯-୨୦ବର୍ଷରେ ସେ ରାଜ୍ୟସ୍ତରରେ ପେରିଆ କମ୍ ବ୍ୟାକ୍ ଚଳଚ୍ଚିତ୍ରର ନୃତ୍ୟ ନିର୍ଦେଶନା ପାଇଁ ଶ୍ରେଷ୍ଠ ନୃତ୍ୟ ନିର୍ଦେଶକ ଭାବେ ବି ସମ୍ବର୍ଦ୍ଧିତ ହୋଇଥିଲେ।
ସୁସ୍ମିତା ରଥ
ପ୍ରେରଣା ଡ୍ୟାନସ୍ ଏକାଡେମୀ ଜରିଆରେ ୨ବର୍ଷର ପିଲାଙ୍କ ଠାରୁ ୫୦ବର୍ଷର ବୟସ୍କ ମହିଳା, ପିଲାଙ୍କୁ ନୃତ୍ୟ ପ୍ରଶିକ୍ଷଣ ଦେବା, ନୃତ୍ୟ ମାଧ୍ୟମରେ ସୁନ୍ଦର ସ୍ବାସ୍ଥ୍ୟ ଗଠନ କରାଇବା ଦିଗରେ ଗତ ୧୮ବର୍ଷ ହେବ ପ୍ରଶିକ୍ଷଣ ଦେଇ ଆସୁଛନ୍ତି ସୁସ୍ମିତା ରଥ (୩୯)। ସେ ଶିଶୁ ମନ୍ଦିରରେ ପଢ଼ୁଥିବା ବେଳେ ସାଧନାଭଟ୍ଟାଚାର୍ଯ୍ୟ, ଗୁରୁ କାହ୍ନୁ ପ୍ରଧାନଙ୍କ ସଂଷ୍ପର୍ଶରେ ଆସି ଓଡିଶୀ ନୃତ୍ୟ ପ୍ରତି ଆଗ୍ରହ ଓ ପରେ ଏହା ନିଶା ପାଲଟିଥିଲା। ୨୦୦୩ରେ ସେ ଅନୁଷ୍ଠାନ ଆରମ୍ଭ କରି ଓଡିଶୀ, ସମ୍ବଲପୁରୀ, ଢ଼େମସା, ରିଂଜୋଡି ସହ ବିଭିନ୍ନ ଅତ୍ୟାଧୁନିକ ନୃତ୍ୟ ୪୦୦ପିଲାଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି। ୧୮ରୁ ୫୦ବର୍ଷ ମଧ୍ୟରେ ମହିଳାଙ୍କୁ ନେଇ ସେମି –କ୍ଲାସିକାଲ, ୨୦ଜଣଙ୍କୁ ନେଇ ଜୁମ୍ବୋ ଏବଂ ଏରୋବିକ୍ ବି ପ୍ରଶିକ୍ଷଣ ଦେଉଛନ୍ତି। ସେ ଛୋଟ ଛୋଟ ପିଲାଙ୍କୁ ଜୟପୁରରେ ନୃତ୍ୟ ତାଲିମ ଦିଆ ଯାଉନଥିବା ବେଳେ ସେ ହିଁ ପ୍ରଥମ କରି ତାଲିମ ଦେବା ଆରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/cd7252d5-c056-43de-9542-abbf10366eb2.jpeg)