ଅର୍ଥ ତୋଷରପାତ ଅଭିଯୋଗ: ତିନି ତହସିଲଦାର ନିଲମ୍ବିତ, କିରାଣୀଙ୍କ ନାମରେ ଅପରାଧିକ ମାମଲା ରୁଜୁ

୧୦ ଦିନ ହେବ ନିଲମ୍ବିତ ହୋଇଛନ୍ତି କିରାଣୀ ସୁଧୀର ସାହୁ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଉପନିବନ୍ଧକ କାର୍ଯ୍ୟାଳୟରେ ହୋଇଛି ବଡ ଧରଣର ଅର୍ଥ ତୋଷରପାତ। ଉପନିବନ୍ଧକ କାର୍ଯ୍ୟଳୟରେ ୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଜ୍‌ ଡିପୋଜିଟ୍‌ କରାଯାଇ ନଥିବାରୁ ତିନିଜଣ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହାସହ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ କିରାଣୀ ସୁଧୀର ସାହୁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ସେହି ସମୟରେ ଉପନିବନ୍ଧକ ଦାୟିତ୍ବରେ ରହିଥିବା ଏବର ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଓ ପୂର୍ବତନ ତହସିଲଦାର ଅରୁଣ କୁମାର ଖଣ୍ଡା ନିଲମ୍ବିତ ହୋଇଛନ୍ତି।

ଗତ ୨୦୧୭ରୁ ଏହି ତିନିଜଣ ସରକାରୀ କର୍ମଚାରୀଙ୍କ ଓ କିରାଣୀ ମିଶି କରିଥିଲେ କୋଟି କୋଟି ଟଙ୍କାର ଅର୍ଥ ତୋଷରପାତ। କିଛିଦିନ ତଳେ କିରାଣୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଦୁଇଜଣ ଓଏଏସ ଓ ଜଣେ ଓଆରଏସ ରହିଥିବା ଜଣାପଡିଛି। ପ୍ରାୟ ୪ କୋଟି ଟଙ୍କାର ଷ୍ଟାମ୍ପଡ୍ୟୁଜ୍‌ ଡିପୋଜିଟ କରି ନ ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଉପନିବନ୍ଧକ କାର୍ଯ୍ୟଳୟରେ ଦୁଇଜଣ ଓଏଏସ ଓ ଜଣେ ଓଆରଏସ ଦାୟିତ୍ବରେ ରହିଥିଲା। ଏହି ସମୟରେ କିରାଣୀ ରହିଥିବା ସୁଧୀର ସାହୁ , କୋଟି କୋଟି ଟଙ୍କାର ରାଜସ୍ବ ଡିପୋଜିଟ କରି ନ ଥିଲେ। ଏହାକୁ ତୋଷରପାତ କରିଥିବାବେଳେ ତାଙ୍କୁ ଗତବର୍ଷ ଜାନୁଆରି ମାସରେ ବନ୍ଧୁଗାଁକୁ ବଦଳି କରାଯାଇଥିଲା। ଏହାପରେ ଉପନିବନ୍ଧକ କାର୍ଯ୍ୟାଳୟରେ ଏକ ଅଡିଟ୍‌ କରାଯାଇଥିଲା। ଏହି ଅଡିଟରେ ସବୁ ଅର୍ଥ ତୋଷରପାତ ଧରାପଡିଥିଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଦୁଇଜଣ ଓଏଏସ ଓ ଜଣେ ଓଆରଏସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ୧୦ ଦିନ ପୂର୍ବରୁ ସୁଧୀରଙ୍କୁ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାର ନିଲମ୍ବିତ କରିଥିବାବେଳେ ଏବେ ସେ ଫେରାର ରହିଥିବା ଜଣାପଡିଛି। ଆଜି ସୁନାବେଢା ଏସଡିପିଓ ତାଙ୍କୁ ଖୋଜାଖୋଜି କରୁଥିବାବେଳେ ତାଙ୍କ ସନ୍ଦାନ ମିଳି ନ ଥିବା ଜଣାପଡିଛି।

ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ ଦୁଇଜଣ ଓଏଏସ ଓ ଜଣେ ଓଆରଏସ ଏହି ଉପନିବନ୍ଧକ କାର୍ଯ୍ୟଳୟର ଦାୟିତ୍ବରେ ରହିଥିଲେ। ତାଙ୍ ସମୟରେ ଏହି କିରାଣୀ ଜଣ ଏପରି କାଣ୍ଡ କରିଥିବା ଅଡିଟ ରିପୋର୍ଟରୁ ଜଣାପଡିଥିଲା। ତେବେ ପୂର୍ବରୁ ତାଙ୍କୁ ଏହିଠାରୁ ହଟାଯାଇ ବନ୍ଧୁଗାଁକୁ ବଦଳି କରାଯାଇଥିବାବେଳେ ୧୦ଦିନ ହେବ ନିଲମ୍ବିତ କରାଯାଇଛି। ଗତକାଲି ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ବୋଲି ସେ କହିଛନ୍ତି। ଏନେଇ ଏସଡିପିଓ ମନୋଜ ବେହେରା କହିଛନ୍ତି ଯେ ଗତକାଲିର ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସିଡିଆର ମଗାଯାଇଛି ତାହାଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ ଚାଲିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର