ମାଲକାନଗିରି: ହନୁମାନ ଟଂକା ପାଇଁ ଡକାୟତ ଉଦ୍ୟମ ପଣ୍ଡ ହେବା ପରେ ମାଲକାନଗିରି ପୁଲିସ ଚଢାଉ କରି ୪ ଡକାୟତକୁ ଧରିଲା। ଗତ ୧୬ ତାରିଖ ଦିନ ରାତିରେ ଗ୍ରାମର ଚେକର ନାରାୟଣଙ୍କ ଘରେ ଏହି ଡକାୟତି ଉଦ୍ୟମ ହୋଇଥିଲା। ପୁଲିସ ୪ ଜଣ ଡକାୟତକୁ ଧରି କୋର୍ଟ ଚାଲାଣ କରିଛି। ଘଟଣା ଅନୁଯାୟୀ ମାଲକାନଗିରି ଥାନା ଅଂଚଳର ତଣ୍ଡକି ଗ୍ରାମର ଟୁକୁ କରଣ ନାମକ ବ୍ୟକ୍ତି ବିଶେଷ ସୂତ୍ରରୁ ଖବର ପାଇଲା ଯେ ସେହି ଗ୍ରାମର ଚେକର ନାରାୟଣଙ୍କ ଘରେ ହନୁମାନ ଟଂକା ଅଛି, ଯାହାର ବଜାରର ମୂଲ୍ୟ ୫ କୋଟି ଟଂକା ହେବ।
ଏହି ଖବର ପାଇବା ପରେ ଟୁକୁ ସେହି ଗ୍ରାମର ପାଣ୍ଡୁ ସୋଡିଙ୍କୁ କହିଥିଲା।ପାଣ୍ଡୁ ପରେ ଜୟପୁରର ଡମୁ ଓ ଉମରି ଗ୍ରାମର ଶିବ ହରିଜନକୁ କହିଥିଲେ।ଏମାନେ ଚେକରଙ୍କ ଘରେ ଡକାୟତି କରିବାରୁ ଏକ ଯୋଜନା ପ୍ରସ୍ତୁତ କଲେ।ଡମୁ ପୁଣି ଆଉ କିଛି ଲୋକଙ୍କୁ ଯୋଗାଡ କଲା। ସେଥିମଧ୍ୟରୁ ଆମ୍ବାଗୁଡା ଗ୍ରାମର ଜଗନ୍ନାଥ ହରିଜନ, ଖଇରୁ, କୁଞ୍ଜ ବିହାରୀ ଭତ୍ରା, ଜଗବନ୍ଧୁ ଜାନି ପ୍ରମୁଖଙ୍କୁ ସାଂଗରେ ମିଶାଇଥିଲା। ଏମାନେ ସମସ୍ତେ ମିଶି ୩ଟି ମଟର ସାଇକେଲରେ ତଣ୍ଡକି ଆସି ଚେକର ହରିଜନ ଘରେ କବାଟ ମାରିଥିଲେ। ଘର ଲୋକ କବାଟ ଖୋଲିବାପରେ କାତି ଓ ବନ୍ଧୁକ ଦେଖାଇ ଟଂକା ଦେବା ସହ ଘରର ସମସ୍ତ ମୂଲ୍ୟବାନ ଜିନିଷ ଦେବାକୁ ଧମକ ଦେଇଥିଲେ। ଏହି ସମୟରେ ଚେକର ସାନ ଭାଇ ଏହା ଜାଣି ଗ୍ରାମବାସୀଙ୍କୁ ଖବର ଦେବାପରେ ଗ୍ରାମବାସୀ ଘେରାଉ କରି ୩ ଜଣ ଡକାୟତଙ୍କୁ କାବୁ କରି ପୁଲିସର ଜମିରେ ଦେଇଥିଲେ।
ଏନେଇ ଥାନାରେ ଏତଲା ଦେବା ପରେ ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪ ଜଣଙ୍କୁ ଗିରଫ ପରେ ଅନ୍ୟମାନେ ଫେରାର ହୋଇଯାଇଥିବା ପୁଲିସ କହିଛି।ଗିରଫ ହୋଇଥିବା ଡକାୟତମାନେ ହେଲେ କୁଞ୍ଜ ବିହାରି ଭତ୍ରା(୨୫), ଜଗବନ୍ଧୁ ଜାନି(୩୮), ପାଣ୍ଡୁ ସୋଡି(୩୬) ଓ ଜୟପ୍ରକାଶ କରଣ ଅରଫ ଟୁକୁ(୪୫)କୁ ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।ଅନ୍ୟମାନେ ମଧ୍ୟ ଖୁବ ଶୀଘ୍ର ଧରାପଡ଼ିବେ ବୋଲି ପୁଲିସ କହିଛି।