ବାଲେଶ୍ବରରେ ତିନି ହଜାର, ଭଦ୍ରକରେ ୧୩୭୩ ଗାଁ କ୍ଷତିଗ୍ରସ୍ତ

ବାଲେଶ୍ବର/ଭଦ୍ରକ/ବାରିପଦା: ଅମ୍ଫାନ ଯୋଗୁଁ ଉତ୍ତର ବାଲେଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ବର ଜିଲ୍ଲାରେ ୨୩୧ଟି ପଞ୍ଚାୟତର ୨ହଜାର ୮୯୮ ଗାଁ ପ୍ରଭାବିତ ହୋଇଛି। ଏହା ସହ ୪ଟି ସହରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ଜିଲ୍ଲାରେ ପ୍ରାୟ ୯ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ରବି ଧାନ, ପାନ ଓ ପନିପରିବା ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଲରେ ପଡ଼ିରହିଥିବା ରବି ଧାନ ଆଉ ଅମଳ ହେବାର ସମ୍ଭାବନା ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସରକାରୀ ରିପୋର୍ଟ ଅନୁସାରେ ୩୫ଟି କଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ, ପ୍ରାୟ ୫ହଜାର କଚାଘର, ପକାଘର, କୁଡ଼ିଆ ଆଂଶିକ ନଷ୍ଟ ହୋଇଛି। ବିଦ୍ୟୁତ୍ ବିଭାଗର ରିପୋର୍ଟ ଅନୁସାରେ ୪୬ କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଛି। ବାଲିଆପାଳ ବ୍ଲକ କଙ୍କଡାପାଳ ମୁହାଁଣଠାରୁ ଡଗରା ଫରେଷ୍ଟ ବିଟ୍‌ ପର୍ଯ୍ୟନ୍ତ ଶହଶହ ଝାଉଁଗଛ ଭୂଇଁରେ ଲୋଟିଯାଇଛି। ଶହଶହ ଏକର ଜମିରେ ହୋଇଥିବା ବାଦାମଚାଷ ପାଣିରେ ବୁଡ଼ିରହିଛି। ଭୋଗରାଇ ବ୍ଲକରେ ୪୯ଟି ପଞ୍ଚାୟତର ୧୩୬୬ ହେକ୍ଟର ଜମିରେ ଡାଳୁଅ ଧାନଚାଷ ଓ ୮୫୪ ହେକ୍ଟର ଅଣଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି। ଜଳେଶ୍ବର ବ୍ଲକରେ ୧୫୦ଟି ଗାଁ ପ୍ରଭାବିତ ହୋଇଛି। ପାଞ୍ଚ ଶହରୁ ଅଧିକ ଘର ଭାଙ୍ଗିଛି ବୋଲି ରାଜସ୍ବ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଆକଳନ କରାଯାଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦିଆଯାଇଛି।

ଭଦ୍ରକର ଚାନ୍ଦବାଲି, ତିହିଡ଼ି ଓ ବାସୁଦେବପୁର ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୭ଟି ବ୍ଲକ ଓ ପୌରାଞ୍ଚଳର ୭ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାର ୮ଟି ବ୍ଲକର ୪୫୭ ଗାଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ୪୪୩ ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି। ଏହା ସହ ୧୩୪ ହେକ୍ଟର ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର