ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ଆଜି ଠାରୁ ଭୋଟ ଗଣତି

ଖୋର୍ଦ୍ଧା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟରଙ୍କ ମତ ବ୍ୟାଲଟ ବକ୍ସରେ ରହିଛି, ଏହା ଆସନ୍ତାକାଲି ଖୋଲିବ । କେଉଁ ପ୍ରତିନିଧି ଭୋଟରଙ୍କ କେତେକ ବିଶ୍ୱସଭାଜନ ହୋଇଛନ୍ତି ତାହା ଜଣାପଡ଼ିବ । ଏଥିପାଇଁ ବିଭିନ୍ନ ବ୍ଲକସ୍ତରରେ ଗଣତି କେନ୍ଦ୍ରଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆସନ୍ତା କାଲି ଠାରୁ ତିନି ଦିନ ନିର୍ଦ୍ଧାରିତ ଭୋଟ ଗଣତି କେନ୍ଦ୍ର ଗୁଡ଼ିକରେ ଭୋଟ ଗଣତି ଚାଲିବ । ରାଜ୍ୟ ନିର୍ବାଚନ କମିଶନଙ୍କ ନିୟମାବଳୀ ଅନୁସାରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଜିଲ୍ଲା ପରିଷଦ ଜୋନ୍ ୱାରି ଗଣତି କରାଯିବ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଭୋଟ ଗଣତି କେନ୍ଦ୍ରରେ ଗୋଟିଏ ହଲ୍‌ରେ ୮ଟି ପଂଚାୟତ ଓ ଗୋଟିଏ ଟେବୁଲ୍ରେ ଗୋଟିଏ ପଂଚାୟତର ଗଣତି କରାଯିବ । ଭୋଟ ଗଣତିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ପୃକ୍ତ ବ୍ଲକର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ।

ଏହାସହ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀ ଗଣତି ତଦାରଖ କରିବେ । ଅତରିକ୍ତ ଜିଲ୍ଳାପାଳ ମନୋଜ କୁମାର ପାଢ଼ୀଙ୍କୁ ଖୋର୍ଦ୍ଧା ଓ ଜଟଣୀ ବ୍ଲକ, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଭୁବନେଶ୍ୱର ବ୍ଲକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶକ ଦିଗନ୍ତ ରାଉତରାୟଙ୍କୁ ବୋଳଗଡ଼ ଓ ବେଗୁନିଆ ବ୍ଲକ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ଶକ୍ତିକାନ୍ତ ରାୟଙ୍କୁ ଟାଙ୍ଗୀ ବ୍ଲକ, ଉପଜିଲ୍ଲାପାଳ (ଭୁବନେଶ୍ୱର)ଙ୍କୁ ବାଲିଅନ୍ତା ଓ ବାଲିପାଟଣା ବ୍ଲକ, ଉପଜିଲ୍ଲାପାଳ (ଖୋର୍ଦ୍ଧା)ଙ୍କୁ ବାଣପୁର ଓ ଚିଲିକା ବ୍ଲକର ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଜିଲ୍ଲାର ୧୦ଟି ବ୍ଲକର ୩୦ଟି ଜିଲ୍ଲା ପରିଷଦ ଜୋନ୍ରେ ବିଭିନ୍ନ ରାଜନୈତିକ ଦଳର ୧୨୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସମ୍ବନ୍ଧିତ ଖବର