୩ କଲରାପତରିଆ ବାଘ ଛାଲ ଜବତ କଲା ଏସ୍‌ଟିଏଫ୍‌, ସୁରାକ ପାଇପାରିଲାନି ସ୍ଥାନୀୟ ପୁଲିସ ଓ ବନ ବିଭାଗ

ରାୟଗଡା: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ବାଘ ଛାଲ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-କୋରାପୁଟ ନିକଟସ୍ଥ ଏକ ସ୍ଥାନରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଚଢ଼ଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ ୩ଟି କଲରାପତରିଆ ବାଘ ଚମଡ଼ା ଜବତ କରିଛି। ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ ନାକଟିଗୁଡ଼ାର ଡମ୍ବରୁଧର ମାଝୀ ବୋଲି ଜଣାପଡ଼ିଛି। ବୁଧବାର ଅପରାହ୍ନରେ ଏହି ଚଢଉ କରାଯାଇଥିଲା। ଧରାପଡ଼ିବା ପରେ ଅପରାଧୀ ଶ୍ରୀ ମାଝୀ ନିଜକୁ ଦୋଷମୁକ୍ତ ବୋଲି ପୁଲିସ ଆଗରେ ପ୍ରମାଣ ଦେବାରେ ବିଫଳ ହୋଇଛି। ପରେ ପୁଲିସ ତାକୁ ଗିରଫ କରି ରାୟଗଡା ଏସଡିଜିଏମ କୋର୍ଟରେ ହାଜର କରିଛି।

ଅନ୍ୟପଟେ ଜବତ ହୋଇଥିବା ବାଘଛାଲକୁ ଯାଞ୍ଚ ପାଇଁ ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ବନ୍ୟପ୍ରାଣୀ ପ୍ରତିଷ୍ଠାନ (ଡବ୍ଲୁଆଇଆଇ)କୁ ପଠାଯାଇଥିବା ଜଣାପଡିଛି। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ-୧୯୭୨ର ଧାରା ୫୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏହି ମାମଲାରେ ଡମ୍ବୁରୁଧର ସହ ଆଉ କିଏ କିଏ ଅଛନ୍ତି ଜାଣିବାକୁ ପୁଲିସ ତଦନ୍ତ ଚଳାଇଛି।ତେବେ ଏସଟିଏଫ ଟିମ ଅତି ଚତୁରତାର ସହ ରାୟଗଡାରେ ପଶି ଏହି ଅପରାଧୀକୁ କାବୁ କରିଥିଲା। ତେବେ ଏନେଇ ସ୍ଥାନୀୟ ପୁଲିସ ନା ବନ ବିଭାଗକୁ ଖବର ଦିଆଯାଇଥିଲା। କେହି ମଧ୍ୟ ସୁରାକ ପାଇପାରିନଥିଲେ।

ଆଜି ସକାଳେ ଘଟଣା ପ୍ରଘଟ ହେବା ପରେ ଏସଟିଏଫ ତରଫରୁ ବନ ବିଭାଗ ଏବଂ ପୁଲିସକୁ ସୂଚନା ଦିଆଯାଇଥିବା ଜଣାପଡିଛି। ଗତ ଦୁଇ ମାସ ମଧ୍ୟରେ ଏହା ଦ୍ବିତୀୟ ଘଟଣା ରାୟଗଡାରେ ଘଟିଛି। ସୂଚନାଯୋଗ୍ୟ ଓଡ଼ିଶାରେ କିଛି ଦିନ ହେବ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ବିଭିନ୍ନ ସମୟରେ ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା ଆଦି ଅନ୍ୟାନ୍ୟ ଜବତ ହେଉଥିବାର ନଜିର ରହିଛି। ଏମିତିକି ନିକଟରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଜଣେ ଶିକାରି ଗୁଳିରେ ପ୍ରାଣ ହରାଇଛନ୍ତି ଫରେଷ୍ଟ ଗାର୍ଡ।

 

ସମ୍ବନ୍ଧିତ ଖବର