କାଳିଆପାଣି : କାଳିଆପାଣି ଥାନା ଓଏମ୍ସି କୋଇପଶି ଟ୍ରକ୍ ପାର୍କିଂୟାର୍ଡ ପାଖରେ ସୋମବାର ରାତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ଶିଶୁକନ୍ୟାଙ୍କୁ ସାଥିରେ ଧରି ଜଣେ ମାଆ ତିନିତିନି ଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସମସ୍ତଙ୍କୁ ହତବାକ୍ କରିଦେଇଛି।
ମହିଳା ଜଣକ କୋଇପଶି ବସ୍ତିର ସୁଧାକର ବେହେରାଙ୍କ ପତ୍ନୀ ପୁଷ୍ପା ବେହେରା(୨୫) । ପୁଷ୍ପା ପ୍ରଥମେ ଏକ ଚଳନ୍ତା ଟ୍ରକ୍ ଆଗକୁ ଡେଇଁଥିଲେ। ଏହା ଦେଖି ନିକଟରେ କର୍ତ୍ତବ୍ୟରତ ଓଆଇଏସ୍ଏଫ୍ ଯବାନମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏହାର କିଛି ସମୟ ପରେ ସଂପୃକ୍ତ ମହିଳା ଦୁଇଛୁଆଙ୍କୁ ତଳେ ବସାଇ ପାଖରେ ଥିବା ଏକ ଗଛରେ ଚଢ଼ି ନିଜ ଶାଢ଼ିରେ ଫାଶୀ ଲଗାଇବାକୁ ଉଦ୍ୟମ କରିଥିଲେ। ଗଛ ତଳେ ଥିବା ଦୁଇ ଶିଶୁଙ୍କ କାନ୍ଦ ଶୁଣି ସ୍ଥାନୀୟ ଲୋକେ ଓ ଯବାନ ମିଶି ତାଙ୍କୁ ଉଦ୍ଧାର କରି ବୁଝାସୁଝା କରିଥିଲେ। ଛଅ ମାସର ଶିଶୁକନ୍ୟା ମାଆର କୋଳ ଖୋଜୁଥିଲା। ଏଣେ ମାଆ ଆଖିରେ ଲୁହ ଜକେଇ ଆସୁଥିବାର ଦୃଶ୍ୟ ଦେଖଣାହାରୀଙ୍କୁ ଆଲୋଡ଼ିତ କରିଥିଲା। ଛୁଆକୁ କୋଳରେ ଧରି ତା’ ପେଟ ଭରିବାର କିଛି ସମୟପରେ ମହିଳାଜଣକ ପୁଣିଥରେ ଏକ କଲଭର୍ଟ ଉପରୁ ତଳକୁ ଡେଇଁ ଜୀବନ ହାରିବା ଉଦ୍ୟମ କରୁଥିଲେ। ଏହି ସମୟରେ ତୃତୀୟବାର ଯବାନମାନଙ୍କ ନଜରରେ ପଡ଼ିଥିଲେ। ସେମାନେ ତାଙ୍କୁ ଉଦ୍ଧାର କରିଥିଲେ।
/sambad/media/post_attachments/wp-content/uploads/2021/09/suicide-2.jpg)
ପୁଲିସ ବାହିନୀ ଓଆଇଏସ୍ଏଫ୍ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସ୍ବଦେଶ କୁମାର ମହାନ୍ତି ଓ ଥାନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଓଆଇଏସ୍ଏଫ୍ ମହିଳା ପୁଲିସ ସହାୟତାରେ ସଂପୃକ୍ତ ମହିଳା, ତାଙ୍କ ସ୍ବାମୀ ଓ ଶିଶୁଦ୍ବୟଙ୍କୁ ପୁଲିସ ଗାଡ଼ିରେ ଉଦ୍ଧାର କରି ଥାନାକୁ ଅଣାଯାଇଥିବା ସୂଚନା ମିଳିଛି। ପରିବାରରେ ଅଭାବ ଅନଟନର ସ୍ଥିତି ଉତ୍କଟ ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/suicide-a.jpg)