ପୁରୀ: ରଥ ନିର୍ମାଣର ଆଜି ଥିଲା ୩୪ତମ ଦିବସ। ଆଜି ତିନିରଥର ପାଞ୍ଚ ଦଣ୍ଡାରେ ମୁହାଁଟି ସଂଯୋଗ ପରେ ଆଗ ଓ ପଛ ନିରାଡ଼ି ଉଠିବା ସହ ପାର୍ଶ୍ୱଦଣ୍ଡାରେ କୁଡୁକା ଲାଗିହୋଇ ପାର୍ଶ୍ୱ ନିରାଡ଼ି ପଡ଼ିଛି। ଦୁଇ ପାର୍ଶ୍ୱରେ ଗୋଟିଏ ଗୋଟିଏ କୋଣଗୁଜ ଉଠି ସେହି ଗୁଜ ଉପରେ ବିରାଡ଼ି ସଂଯୋଗ ହୋଇ ଦଣ୍ଡାଫ୍ରେମ୍ ପ୍ରସ୍ତୁତି ଶେଷ ହୋଇଛି। ଏହି ଦଣ୍ଡାଫ୍ରେମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ସହଯୋଗୀ ମହାରଣା ସେବକ ଓ ଭୋଇ ସେବକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।
ତିନିରଥର ଢମକ ଚଉପଟ ଶେଷ ହୋଇଛି। ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ଦୁଇଟି ଲେଖାଏଁ ପୋଲଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତିନିରଥର ୪ଟି ଲେଖାଏଁ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ମହାରଣା ସେବକମାନେ ଆଜି ତିନି ରଥ ପାଇଁ ୮ଟି ଲେଖାଏଁ ୨୪ଟି ନାଟଗୋଡ଼ ପ୍ରସ୍ତୁତ କରି, ସେଥିରେ ରାହୁରୂପ ଖୋଦେଇ ପାଇଁ ରୂପକାର ସେବକମାନଙ୍କୁ ଯୋଗାଇ ଦେଇଛନ୍ତି। ରୂପକାର ସେବକ ତିନି ରଥର ବେଦି ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ସହ ଆଜି ତିନ ରଥ ଚାରି ଦୁଆର ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଆରମ୍ଭ କରିଛନ୍ତି। ଦର୍ପଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତିସେବକମାନେ ଜାରି ରଖିଛନ୍ତି।