ଫୁଲବାଣୀ/ଚକାପାଦ : ଇଣ୍ଟର୍‌ନେଟ୍‌ ସିଗ୍‌ନାଲ ଖୋଜିବା ପାଇଁ ପାହାଡ଼ ଚଢ଼ିବା ସମୟରେ ବଜ୍ରପାତ ହେବାରୁ ୩ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଛାତ୍ର ଦ୍ବୟ ହେଲେ ଯୁକ୍ତଦୁଇ ପଢ଼ୁଥିବା ଧୀରେନ୍‌ ଦିଗାଳ(୧୯) ଓ ପିଙ୍କୁ ଦିଗାଳ(୧୭)। ଉଭୟଙ୍କୁ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଷ୍ଟମ ଶ୍ରେଣୀ ଛାତ୍ର ପଞ୍ଚାନନ ବେହେରା ସାମାନ୍ୟ ଆହତ ହୋଇଥିବା ବେଳେ ବ୍ରାହ୍ମଣପାଦ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ଜଣାଯାଇଛି। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ରେ ଏହିଭଳି ଏକ ଅଘଟଣ ଘଟିଛି।

Advertisment

ଗତକାଲି ଅପରାହ୍ନ ୩ଟା ବେଳର ଘଟଣା। ଚକାପାଦ ବ୍ଲକ୍‌ ପସରା ପଞ୍ଚାୟତର ମୁଣ୍ଡାଗାଁ ନିକଟ ଡିଗିସରୁ ପାହାଡ଼ ଉପରକୁ ଚଢ଼ି ଛାତ୍ରମ‌ାନେ ମୋବାଇଲ୍‌ ଇଣ୍ଟରନେଟ୍‌ ଖୋଜୁଥିଲେ। ଏହିସମୟରେ ବଜ୍ରପାତ ହେବାରୁ ତିନିଜଣ ତଳେ ପଡ଼ିଯାଇ କ୍ଷତାକ୍ତ ହୋଇଥିଲେ। ଗ୍ରାମବାସୀ ତିନିଜଣଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣପାଦ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଧୀରେନ ଓ ପିଙ୍କୁଙ୍କ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରୁ ସ୍ଥାନାନ୍ତର କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ପସରା ପଞ୍ଚାୟତଠାରୁ ସାଢେ଼ ୬କିମି. ଦୂର କନ୍ଧମାଳ ଓ ଗଞ୍ଜାମ ସୀମାନ୍ତ ମୁଣ୍ଡାଗାଁରେ ଜିଓ ଟାୱାର୍‌ ରହିଥିଲେ ବି କେବଳ କଥାବାର୍ତ୍ତାକୁ ଛାଡ଼ିଦେଲେ ଇଣ୍ଟରନେଟ୍‌ ଚାଲୁ ନଥିଲା। ଗ୍ରାମରେ ବିଏସ୍‌ଏନ୍ଏଲ୍‌ ନେଟୱର୍କ ବି ନାହିଁ। ଉକ୍ତ ଜଙ୍ଗଲରେ କିଛିକିଛି ସ୍ଥାନରେ‌ ନେଟ୍‌ୱର୍କ ଆସୁଛି। ଯେଉଁଥିପାଇଁ ପିଲାମାନେ ଗ୍ରାମ ନିକଟ ଜଙ୍ଗଲକୁ ଯାଇ ମୋବାଇଲ୍‌ରେ ଇଣ୍ଟରନେଟ୍‌ ଖୋଜୁଥିବା ସମୟରେ ଏହିଭଳି ଅଘଟଣ ଘଟୁଥିବା ଗ୍ରାମବାସୀ କହିଛନ୍ତି।

ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଦଶମଶ୍ରେଣୀ ଯାଏଁ ବିଦ୍ୟାଳୟ ରହିଥିବା ବେଳେ ଇଣ୍ଟରନେଟ୍‌ ସେବା ନଥିବାରୁ ଛାତ୍ରଛାତ୍ରୀ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଦେଶରେ ଏବେ ୫-ଜି ନେଟ୍‌ୱର୍କ ସେବା ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଭଳି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ନମିଳିବା ପରିତାପର ବିଷୟ। ତେଣୁ, ତୁରନ୍ତ ଜିଓ ଇଣ୍ଟରନେଟ୍‌ ସୁବିଧା ଏବଂ ବିଏସ୍‌ଏନ୍‌ଏଲ୍‌ ଟାୱାର ପ୍ରତିଷ୍ଠା କରିବାକୁ ଗ୍ରମବାସୀ ଦାବି କରିଛନ୍ତି।