ଫାଇଲେରିଆ ବଟିକା ଖାଇ ୩ ମହିଳା ଅସୁସ୍ଥ

ଯୁଯୁମୁରା : ଫାଇଲେରିଆ ନିରାକରଣ ପାଇଁ ଚଳିତ ମାସ ୨୫ ତାରିଖରୁ ସାମୂହିକ ଔଷଧ ସେବନ ଅଭିଯାନ ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗଉରଗୋଠ ଗାଁରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ପହଞ୍ଚି ଘରକୁ ଘର ଯାଇ ଔଷଧ ସେବନ କରାଇଥିଲେ। ଔଷଧ ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନର କିଛି ସମୟ ପରେ ପ୍ରାୟ ତିନି ମହିଳାଙ୍କ ବାନ୍ତି ହୋଇଥିଲା। ଯଦ୍ୱାରା ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ।

ଏନେଇ ସମ୍ପୃକ୍ତ ପରିବାର ଲୋକେ ଆଶା କର୍ମୀଙ୍କୁ ଯୋଗାଯୋଗ କରିଥିଲେ। ଆଶା କର୍ମୀ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ସେମାନଙ୍କୁ ଓଆର୍‌ଏସ୍‌ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। କିଛି ସମୟ ପରେ ସେମାନଙ୍କ ବାନ୍ତି ବନ୍ଦ ହୋଇଥିଲା। ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀ କହିଛନ୍ତି ଏହା ଏକ ସାମାନ୍ୟ ଲକ୍ଷଣ। ଏହାଦ୍ବାରା କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବ ନାହିଁ। ତେଣୁ ଲୋକମାନେ ଭୟଭୀତ ନ ହୋଇ ଔଷଧ ଖାଇବା ସହିତ ଫାଇଲେରିଆକୁ ସମୂଳେ ବିନାଶ କରିବାରେ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି।

ସମ୍ବନ୍ଧିତ ଖବର