ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ାର ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ମହିଳାମାନେ ପାଠ ପଢ଼ିବାରୁ ସାମାଜିକ ବାସନ୍ଦ ହେଲେ। ତଥାପି ହାର ମାନିଲେନି। ପ୍ରତିବନ୍ଧକ ସତ୍ତ୍ବେ ଉଚ୍ଚଶିକ୍ଷା ଲାଭ କରି ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଏହି ସଂପ୍ରଦାୟର ୩ ଜଣ ମହିଳା। ଏଭଳି ଅଦମ୍ୟ ସାହସ ଦେଖାଇଥିବା ତିନି ମହିଳା ଚାନ୍ଦିନୀ, ଜୟଶ୍ରୀ ଓ ତ୍ରିବେଣୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂପ୍ରଦାୟର ଅନ୍ୟ ବାଳିକାମାନେ ମଧ୍ୟ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି।
ଆବହମାନ କାଳରୁ କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଏମାନଙ୍କ ସାମାଜିକ ରୀତିନୀତି, ସଂସ୍କୃତି ଓ ପରମ୍ପରା ଭିନ୍ନ। ଝିଅ ଓ ମହିଳାଙ୍କ ପାଇଁ ସାମାଜିକ ନୀତି ନିୟମ ଖୁବ୍ କଠୋର। ସମ୍ପ୍ରଦାୟର ଝିଅମାନଙ୍କୁ କିଶୋରାବସ୍ଥା ପରେ ବାହାରକୁ ଯାଇ ପାଠ ପଢ଼ିବା, ବାହାରେ ଖାଇବା, ସାଇକଲ ଚଢ଼ିବା, ପାଦରେ ଜୋତା, ଚପଲ ପିନ୍ଧିବା ଅନୁମତି ନାହିଁ। ଏପରିକି ଆଧୁନିକ ପୋଷାକ ପିନ୍ଧିବା, କସ୍ମେଟିକ ସାମଗ୍ରୀ ବ୍ୟବହାର କରିବା ମଧ୍ୟ ମନା। ଏହି ନୀତିନିୟମକୁ ଅବମାନନା କଲେ ସେମାନେ ସାମାଜିକ ବାସନ୍ଦ ହେଉଥିଲେ। ନିଜ ରୋଷେଇ ଘର ଲାଲବଙ୍ଗଳାକୁ ପଶିବା ମନା। ବିନା ଅନ୍ତବସ୍ତ୍ରରେ କେବଳ ଧଳାଶାଢ଼ି ଖଣ୍ତିଏ ପିନ୍ଧୁଥିଲେ। ଷଷ୍ଠ ଶ୍ରେଣୀ ପରେ ପାଠପଢ଼ା ବନ୍ଦ ହେଉଥିଲା। ସମାଜିକ ପ୍ରତିବନ୍ଧକ ହେତୁ ସମାଜର ଝିଅମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିଲେ। ୨୦୦୭ରେ ଜୁନାପାଣି ଗାଁର ଧନସିଂ ଛତ୍ରୀଆ ଓ ନିର୍ମଳା ଛତ୍ରୀଆଙ୍କ ଝିଅ ଚାନ୍ଦିନୀ ଓ ତ୍ରିବେଣୀ ଏବଂ ସନବାହାଲି ଗାଁର ବିଜୟ ଝାଙ୍କରଙ୍କ ଝିଅ ଜୟଶ୍ରୀ ମାଟ୍ରିକ ପାସ୍ କରିଥିଲେ। ଏହି ୩ଜଣ ବାହାରେ ପାଠ ପଢ଼ିବାରୁ ସାମାଜିକ ବାସନ୍ଦ ହେଲେ। ଚାନ୍ଦିନୀ ଏଏନ୍ଏମ୍ ପାଠପଢ଼ି ଏବେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାମ କରୁଛନ୍ତି। ପୂର୍ବରୁ ଲୋକେ ରୋଗବ୍ୟାଧିରେ ସଂକ୍ରମିତ ହୋଇ ଝଡ଼ାଫୁଙ୍କା କରି ଅକାଳରେ ପ୍ରାଣ ହରାଉଥିଲେ। ଏବେ ଚାନ୍ଦିନୀ ସେମାନଙ୍କୁ ସଚେତନ କରି ସ୍ବାସ୍ଥ୍ୟସେବା ଯୋଗାଇ ଜୀବନ ବଞ୍ଚାଉଛନ୍ତି।
ସାଲେପଡ଼ାରେ ସିବିଡିଏ ଦ୍ବାରା ପରିଚାଳିତ ଚକୋଟିଆ ଭୁଞ୍ଜିଆ ସ୍ବତନ୍ତ୍ର ବିଦ୍ୟାଳୟରେ ତ୍ରିବେଣୀ ଓ ଜୟଶ୍ରୀ ଶିକ୍ଷକତା କରୁଛନ୍ତି। ଏମାନେ ଅଭୟାରଣ୍ୟର ପିଲାଙ୍କୁ ଶିକ୍ଷାଦାନ କରିବା ସହ ସଚେତନତା ବାର୍ତ୍ତା ଦେଉଛନ୍ତି। ୧୭ ବର୍ଷ ତଳେ ସୁନାବେଡ଼ା ଅଭୟାରଣ୍ୟର ଏହି ତିନି ମହିଳା ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଝିଅଙ୍କ ପାଇଁ ପରିବର୍ତ୍ତନର ସ୍ବର ସାଜିଥିଲେ। ଏମାନଙ୍କ ପ୍ରେରଣାରେ ଅଭୟାରଣ୍ୟର ଝିଅମାନେ ସାମାଜିକ ପ୍ରତିବନ୍ଧକ ଓ ନୀତିନିୟମକୁ ଭାଙ୍ଗି ପାଠ ପଢ଼ିବାକୁ ଆଗେଇ ଆସିଥିଲେ। ସମାଜରେ ଧୀରେ ଧୀରେ ପରିବର୍ତ୍ତନ ଆରମ୍ଭ ହୋଇଥିଲା। ଅଭୟାରଣ୍ୟର ଝିଅମାନେ ବାହାରେ ରହିଲେ, ଖାଇଲେ, ପାଠ ପଢ଼ିଲେ, ସାଇକଲ ଚଢ଼ିଲେ, ଜୋତା ଚପଲ ଓ ଆଧୁନିକ ପୋଷାକ ପିନ୍ଧିଲେ। ଏବେ ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ପ୍ରାୟ ୫ ଶହ ଜଣ ମାଟ୍ରିକ ପାସ୍ କରିଛନ୍ତି। ସନବାହାଲି ଗାଁର ବିଜୟ ଝାଙ୍କରଙ୍କ ଝିଅ ଜୈମନୀ ଝାଙ୍କର ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପିଏଚ୍ଡି କରୁଛନ୍ତି। ଅନେକ ଝିଅ ଉଚ୍ଚଶିକ୍ଷା ଲାଭ କରି ସମାଜସେବାରେ ନିୟୋଜିତ ହୋଇଛନ୍ତି। ଏବେ ଶତାଧିକ ଝିଅ ପାଠପଢ଼ି ଉଚ୍ଚଶିକ୍ଷିତା ହୋଇଥିବାରୁ ନିଜେ ଖୁସି ଓ ଗର୍ବ ଅନୁଭବ କରୁଥିବା ଚାନ୍ଦିନୀ କହିଛନ୍ତି।