ଚଇତି ପର୍ବ ପୂର୍ବରୁ ଅଘଟଣ: ଚୂନମାଟି ଧସି ୩ ମହିଳା ମୃତ

୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ/ପଟ୍ଟାଙ୍ଗି : ଚଇତି ପର୍ବ ପୂର୍ବରୁ ଅଘଟଣ। ଚୂନ ମାଟି ଖୋଳୁଥିବାବେଳେ ମାଟି ଅତଡ଼ା ଧସିଯିବାରୁ ଅକାଳରେ ତିନି ମହିଳାଙ୍କ ଜୀବନ ଚାଲିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସେମିଳିଗୁଡ଼ା ବ୍ଲକ୍ ରେଙ୍ଗା ଗ୍ରାମପଞ୍ଚାୟତର ପୋଡ଼ାଗୁଡ଼ା ଗ୍ରାମ ନିକଟରେ। ମୃତକ ହେଲେ ପଟ୍ଟାଙ୍ଗି ବ୍ଲକ୍ ରାଲେଗଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମିରିଆଲୁପାଡ଼ୁ ଗ୍ରାମର କୋଟା ସ୍ବାମୀଙ୍କ ପତ୍ନୀ ମିତୁଲା କୋଟା (୨୭), ଲାଚ୍ଛାନା ରାଓଙ୍କ ପତ୍ନୀ ରାମୁଲାମ୍ମା ମୁଷୁରୀ (୪୦) ଓ ତାଙ୍କ ଝିଅ ମୁଷୁରୀ ଦେବୀ (୧୭)। ଅନ୍ୟଜଣେ ମହିଳା ମିଥୁଲା କୋଟାଙ୍କ ଅବସ୍ଥା ଗୁରୁତର ଥିବାରୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ପଟ୍ଟାଙ୍ଗି ଥାନା ରାଲେଗଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମିରିଆଲୁପାଡୁ ଗାଁର ମିତୁଲା କୋଟା, ରାମୁଲାମ୍ମା ମୁଷୁରୀ ଓ ତାଙ୍କ ଝିଅ ମୁଷୁରୀ ଦେବୀ ଏବଂ ମିଥୁଲା କୋଟାଙ୍କ ସମେତ ୧୧ଜଣ ମହିଳା ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଚୂନମାଟି ଖୋଳିବାକୁ ଯାଇଥିଲେ। ଆଗକୁ ଆଦିବାସୀଙ୍କ ପରବ ଚଇତି। ଚଇତିରେ ଘର ଲିପାପୋଛା ପାଇଁ ମାଟି ଦରକାର। ଏହି ମାଟି ଆଣିବା ପାଇଁ ଗାଁ ଠାରୁ ପ୍ରାୟ ୩୦କିମି ଦୂର ସେମିଳିଗୁଡ଼ା ବ୍ଲକ୍ ରେଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଡ଼ାଗୁଡା ଗ୍ରାମକୁ ଯାଇଥିଲେ ସମସ୍ତେ। ସମସ୍ତଙ୍କ ଭିତ‌ରେ ଆଗିଲା ପରବ୍‌କୁ ନେଇ ବେଶ୍‌ ଉତ୍ସାହ ବି ଥିଲା। ହେଲେ, ସେଠାରେ ପହଞ୍ଚି ଖୋଳିବା ଆରମ୍ଭ କରୁକରୁ ଏକ ଅଘଟଣ ଘଟିଲା। ହଠାତ୍‌ ଚୂନ ମାଟି ଗୁମ୍ଫାରୁ ମାଟି ଅତଡ଼ା ଖସି ପଡ଼ିଥିଲା। ଫଳରେ ସେହି ସମୟରେ ସେଠାରେ ୪ଜଣ ମହିଳା ପୋତି ହୋଇଯାଇଥିଲେ। ଉପସ୍ଥିତ ଥିବା ଅନ୍ୟ ମହିଳାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ବଞ୍ଚାଇ ପାରି ନ ଥିଲେ।ଚଇତି ପର୍ବ ପୂର୍ବରୁ ଏଭଳି ଅଘଟଣ ଘଟିଯାଇଥିବାରୁ ଗାଁରେ ଏବେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଗୁରୁତର ଥିବା ଅନ୍ୟ ଜଣେ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର