ଟ୍ରେନ୍‌ ଧକ୍କାରେ ୩ ଶ୍ରମିକଙ୍କ ଜୀବନ ଗଲା

ଗୋଳନ୍ଥରା : ରେଳଧାରଣାରେ ଚାଲି ଚାଲି ରେଳଷ୍ଟେସନ୍‌ ଅଭିମୁଖେ ବାହାରିଥିଲେ ୭ ଜଣ ଅଣଓଡ଼ିଆ ଶ୍ରମିକ। କିନ୍ତୁ ରେଳଧାରଣା ଉପରେ ସତେ ଯେପରି ମୃତ୍ୟୁ ଛକି ବସିଥିଲା। ଲୌହ ଦାନବ ଭଳି ଟ୍ରେନ୍ ମାଡ଼ି ଆସିବାରୁ ୩ ନିରୀହ ଶ୍ରମିକଙ୍କ ଜୀବନ ଦୀପ ଲିଭିଗଲା। ଅନ୍ୟ ୪ ଜଣ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବଲ୍‌ କ୍ରସିଂରେ ଗତକାଲି ରାତିରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଗତରାତି ସାଢ଼େ ୧୧ଟାରେ ରେଳଧାରଣାର ଡାଉନ୍‌ଲାଇନରେ ଆସୁଥିବା ବିଶାଖା-ଟାଟାନଗର ଏକ୍ସପ୍ରେସ୍‌ ଧକ୍କାରେ ଛତିଶଗଡ଼ ରାଜ୍ୟ ବିଳାସପୁର ଟିକରି ଥାନା ନିକଟ ବେଦପ୍ରସାଦ ଗାଁର ଜଗେଶ୍ବର କେୱାଟା (୫୫), ତାଙ୍କ ପୁଅ ଲଖ୍‌ଣୁ ଏବଂ ଆଉ ଜଣେ ଶ୍ରମିକ ଲକ୍ଷେଶ୍ବର କେୱାଟା (୪୫) ପ୍ରାଣ ହରାଇଛନ୍ତି। ଅନ୍ୟ ଚାରିଜଣ ସୀତାରାମ କେୱାଟା, ଯୋଗେଶ୍ୱର ଦୋରେ, ସନ୍ତ କୁମାର କେୱାଟା ଓ ମେଲୁରାମ କେୱାଟା ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇ ନିଜ ଜୀବନକୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ଜୀବିତ ଥିବା ୪ ଜଣ ଶ୍ରମିକଙ୍କ ଠାରୁ ମିଳିଥବା ସୂଚନାନୁସା‌ରେ, ସେମାନେ ହଳଦିଆପଦର ବସଷ୍ଟାଣ୍ଡ୍ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଚାଲିଥିବା ଓଭରବ୍ରିଜ୍‌ ନିର୍ମାଣ କାମରେ ନିୟୋଜିତ ଥିଲେ। ଏମାନଙ୍କୁ ଛତିଶଗଡ଼ର ନରୋତ୍ତମ ୟାଦବ୍‌ ନାମକ ଜଣେ ଠିକାଦାର ଏଠାକୁ ଆଣିଥିଲେ। ଏଠାରେ ସେମାନେ ଦିନରାତି ପରିଶ୍ରମ କରୁଥିବା ବେଳେ ଓଭରବ୍ରିଜ୍ ନିର୍ମାଣ କାମ ଦାୟିତ୍ବ ନେଇଥିବା ଠିକାଦାର ସେମାନଙ୍କୁ ଠିକ୍‌ ଭାବେ ପ୍ରାପ୍ୟ ଦେଉ ନଥିଲେ। କେବଳ ଚାଉଳ ଦେବା ସହ ସେମାନଙ୍କୁ ଅନ୍ୟ କାମ‌ରେ ବି ନିୟୋଜିତ କରୁଥିଲେ। ଫଳରେ କାମ ଛାଡ଼ି ସେମାନେ ଭିଟାମାଟିକୁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଘରକୁ ବି ଖବର ଦେଇଥିଲେ।

ଗତକାଲି ରାତି ପ୍ରାୟ ୧୧ଟାରେ ସମସ୍ତେ ହଳଦିଆପଦର ବସଷ୍ଟାଣ୍ଡ୍ ନିକଟ ରେଳଧାରଣା (ଡାଉନ୍‌ଲାଇନ୍‌) ଉପରେ ଚାଲି ଚାଲି ବ୍ରହ୍ମପୁର ଷ୍ଟେସନ୍‌ ଅଭିମୁଖେ ବାହାରିଥିଲେ। ଏହି ସମୟରେ ପଛପଟୁ ବିଶାଖା-ଟାଟାନଗର ଏକ୍ସପ୍ରେସ୍‌ ଦ୍ରୁତଗତିରେ ଆସିଥିବା ବେଳେ ଅପଡାଉନ୍‌ରୁ ବି ଆଉ ଏକ ଟ୍ରେନ୍‌ ଯାଉଥିଲା। ପଛପଟୁ ଟ୍ରେନ୍‌କୁ ଦେଖି ସୀତାରାମ, ଯୋଗେଶ୍ବର, ସନ୍ତ ଓ ମେଲୁରାମ ରେଳଧାରଣାରୁ ଡେଇଁ ମଝିରେ ଛିଡ଼ା ହେବା ସହ ଆଗରେ ଯାଉଥିବା ଲକ୍ଷେଶ୍ବର, ଜଗେଶ୍ବର ଓ ଲଖ୍‌ଣୁଙ୍କୁ ଜୋରରେ ଡାକ ପକାଇଥିଲେ। କିନ୍ତୁ ଅପଡାଉନ୍‌ରେ ଟ୍ରେନ୍ ଯାଉଥିବାରୁ ସେମାନଙ୍କୁ ଶୁଭାଯାଇ ନଥିଲା। ପଛପଟୁ ଆସୁଥିବା ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ୩ ଜଣ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର