ନୂତନ ପଞ୍ଚାୟତ ଗଠନ ହେବାର ୩ ବର୍ଷ ବିତିଲାଣି, ମୌଳିକ ସୁବିଧା ନାହିଁ ପିଡିଏସ୍ ଚାଉଳ ପାଇଁ ଅନ୍ୟ ପଞ୍ଚାୟତକୁ ଯାଉଛନ୍ତି ସୁମେରବନ୍ଧ ଗ୍ରାମବାସୀ କନ୍ଧମାଳରାଜ୍ୟ By Sambad Last updated Jan 21, 2021 ସେୟାର ଫିରିଙ୍ଗିଆ : ନୂତନ ପଞ୍ଚାୟତ ଗଠନ ହେବାର ୩ ବର୍ଷ ବିତିଲାଣି, ତଥାପି ପଞ୍ଚାୟତବାସୀଙ୍କୁ ମିଳିପାରନି ମୌଳିକ ସୁବିଧା। ପିଇବା ପାଣି, ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ଆଲୋକ ଓ ଗମନାଗମନ ଭଳି ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇଛି। ଫିରିଙ୍ଗିଆ ବ୍ଲକ୍ର ମାଓ ଅଧ୍ୟୁଷିତ ଇଲାକା କୁହାଯାଇଥିବା ସୁମେରବନ୍ଧ ପଞ୍ଚାୟତବାସୀ ଏଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ପ୍ରଶାସନର ନଜର ପଡ଼ିନି। ବଣପାହାଡ଼ ଘେରା ଏହି ପଞ୍ଚାୟତ ଗତ ପଞ୍ଚାୟତ ନିର୍ବାଚନ ଠାରୁ ଏକ ନୂତନ ପଞ୍ଚାୟତ ଭାବରେ ସ୍ବୀକୃତି ପାଇଥିଲା। ନୂତନ ପଞ୍ଚାୟତ ଗଠନ ହେବାର ଆଜକୁ ତିନି ବର୍ଷ ବିତିଗଲାଣି। ହେଲେ ସମସ୍ୟା ପୂର୍ବଭଳି ରହିଛି। ପଞ୍ଚାୟତ ମାନ୍ୟତା ମିଳିବା ପରେ ସରପଞ୍ଚ ଓ ସମିତି ସଭ୍ୟ ଓ ୱାର୍ଡ଼ମେମ୍ବର ମଧ୍ୟ ନିର୍ବାଚିତ ହୋଇଛନ୍ତି। ଫିରିଙ୍ଗିଆ ବ୍ଲକ୍ ମୁଖ୍ୟାଳୟ ଠାରୁ ୨୫ କିମି. ଦୂରରେ ଥିବା ଏହି ସୁମେରବନ୍ଧ ପଞ୍ଚାୟତ ୧୧ ୱାର୍ଡ଼କୁ ନେଇ ଗଠିତ ହୋଇଥିବା ବେଳେ ସମୁଦାୟ ୨୪ଟି ଛୋଟ ଓ ବଡ଼ ଗାଁ ରହିଛି। ଏହି ଗାଁ ମାନଙ୍କରେ ବର୍ତ୍ତମାନ ମାଓବାଦୀଙ୍କ ଗତିବିଧି ଲକ୍ଷ୍ୟ କରା ଯାଇଥିବା ବେଳେ ମାଓ ଭୟରେ ପଞ୍ଚାୟତ ଗଠନ ଦିନ ଠାରୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନା ଏହି ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ପଞ୍ଚାୟତର ସବୁ ଗାଁକୁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଅପହଞ୍ଚ ହୋଇପଡ଼ିଛି। ଟେଲି ଯୋଗାଯୋଗର କୌଣସି ସୁବିଧା ନଥିବାରୁ ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଓ ଦମକଳ ଭଳି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟ ପଞ୍ଚାୟତ ଅଧୀନରେ ଥିବା ମିଙ୍ଗୁନପଦର ଠାରେ ନିର୍ମାଣ କରାଯାଉଛି। କିନ୍ତୁ ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜକୁ ପ୍ରାୟ ୩ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାମ ସରିପାରୁ ନାହିଁ। ଫଳରେ ଲୋକଙ୍କୁ ପିଡିଏସ୍ ଚାଉଳ ହେଉ କିମ୍ବା ଭତ୍ତା ନେବାକୁ ହେଲେ ବହୁ ବାଟ ଅତିକ୍ରମ କରି ବଣଜଙ୍ଗଲ ରାସ୍ତା ଦେଇ ପାଖରେ ଥିବା ସାଡିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି। ସୁମେରବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହୋଇ ପାରୁ ନଥିବାରୁ ବର୍ତ୍ତମାନ ସାଡିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୨ଟି ପଞ୍ଚାୟତର କାର୍ଯ୍ୟ ଗୋଟିଏ ଜାଗାରେ ଚାଲୁଛି। ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଶୀଘ୍ର ସାରିବା ପାଇଁ ଅଞ୍ଚଳବାସୀ ବାରମ୍ବାର ବ୍ଳକ୍ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏ ଦାବି କରି ଆସୁଛନ୍ତି। କିନ୍ତୁ କେବଳ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ପ୍ରତିଶ୍ରୁତିରେ ହିଁ ଅଟକି ରହିଛି ସୁମେରବନ୍ଧ ପଞ୍ଚାୟତ ବିକାଶମୂଳକ କାମ। ତେବେ ମାଓବାଦୀ ଭୟରେ କିମ୍ବା ପ୍ରାଶାସନିକ ଇଚ୍ଛାଶକ୍ତିର ଅଭାବ ହେଉ, ବର୍ଷ ବର୍ଷ ଧରି ବାଟବଣା ହୋଇ ଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।