ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ଅଜିତ କୁମାର ନେଗୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଆଜି ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଡାକ୍ତର ନେଗୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଗତ ୨୦୧୪ ଏପ୍ରିଲ ୨ ତାରିଖରେ ଡମ୍ବରୁଧର ଧରୁଆ ତାଙ୍କ ଭାଇବୋହୂଙ୍କୁ ଅପରେସନ ପାଇଁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ନେଗୀ ଅପରେସନ ପାଇଁ ଡମ୍ବରୁଧରଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଡମ୍ବରୁଧରଙ୍କ ଅଭିଯୋଗକ୍ରମେ କୋରାପୁଟ ଡିଭିଜନର ପୂର୍ବତନ ଡିଏସ୍ପି ବି.କେ ନାଏକ ଓ ଟିମ୍ ଚଢ଼ଉ କରି ଡାକ୍ତର ନେଗୀଙ୍କୁ ଗିରଫ କରିଥିଲେ। ଏ ନେଇ କୋରାପୁଟ ଭିଜିଲାନ୍ସ କେସ ନମ୍ବର ୧୩/୦୨.୦୪.୨୦୧୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀକାନ୍ତ ମିଶ୍ର ଏହି ମାମଲାର ଶୁଣାଣି କରିଥିଲେ। ଜରିମାନା ଅନାଦେୟ ହେଲେ ଆହୁରି ୩ ମାସ ଅଧିକ ସଶ୍ରମ କାରାଦଣ୍ଡ ପାଇଁ ରାୟ ଶୁଣାଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ଅଶ୍ବିନୀ କୁମାର ସାହୁ ମାମଲା ପରିଚାଳନା କରିଥିଲେ।