୩ ବର୍ଷ ପରେ ମନେ ପଡ଼ିଲା ଐତିହ୍ୟ କ୍ୟାବିନେଟ୍ କଥା, ନିଷ୍ପତ୍ତିର କାର୍ଯ୍ୟକାରିତାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ରୂପରେଖ କମିଟି, ଓଡ଼ିଆ ବିଶ୍ବବିଦ୍ୟାଳୟ, ଗୋପବନ୍ଧୁଙ୍କ ଜନ୍ମପୀଠ ଉପରେ ଫୋକସ୍

ଭୁବନେଶ୍ବର: ୨୦୧୮ ଜୁଲାଇ ୨୭ରେ ବସିଥିଲା ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ। ସେଥିରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ଗୋଟିଏ ବି ଏ ଯାଏ କାର୍ଯ୍ୟକାରୀ ହୋଇନି। ସରକାରଙ୍କ ଭାଷା ଓ ସଂସ୍କୃତି ପ୍ରତି ଏପରି ବୈମାତୃକ ମନୋଭାବକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଐତିହ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିଗୁଡ଼ିକର ତୁରନ୍ତ କାର୍ଯ୍ୟକାରୀ କରାଇବା ପାଇଁ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି। ପ୍ରଥମ କ୍ୟାବିନେଟ୍ ବୈଠକର ଠିକ୍ ୩ ବର୍ଷ ପରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା। ଲୋକସେବା ଭବନରୁ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ହୋଇଥିବା ଏହି ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଉପରେ ଗୁରୁତ୍ବାରୋପ କରାଯିବା ସହ ଐତିହ୍ୟ କ୍ୟାବିନେଟ୍ ଦ୍ବାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ବୟନ ବିଷୟରେ ସମୀକ୍ଷା କରାଯାଇଥିଲା।

ଓଡ଼ିଆ ଭାଷା, ସଂସ୍କୃତିର ସମୃଦ୍ଧି ଓ ପ୍ରସାର ନିମନ୍ତେ ବିଭିନ୍ନ ବିଭାଗକୁ ସଂଯୋଜିତ କରି ଏକ ସମନ୍ବିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ଉନ୍ନୟନ କମିସନର୍ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରାଯାଇଥିଲା। ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ନିମନ୍ତେ ଗୁଣାତ୍ମକ ପୁସ୍ତକ, ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର, ଯୁବ ପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ ଚନ୍ଦ୍ର ଦଳାଇ ଏ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ କରି ଏହାକୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ। ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଥିଲେ ଯେ ସୁଆଣ୍ଡୋରେ ଉତ୍କଳମଣିଙ୍କ ସଂଗ୍ରହାଳୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଠାରେ ଥିବା ପୁରୁଣା ମନ୍ଦିରର ନବୀକରଣ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ଜାତୀୟ ରାଜପଥରୁ ସୁଆଣ୍ଡୋ ଗ୍ରାମକୁ ୫ କିମି ଲମ୍ବ ପ୍ରଶସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ସରିଛି। ଗୋପବନ୍ଧୁଙ୍କ ପୈତୃକ ବାସଭବନ ବିକାଶ ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି। ଜନ୍ମପୀଠରେ ଥିବା ବଡ଼ ପୋଖରୀର ପୁନର୍ବିନ୍ୟାସ କାମ ପ୍ରାୟ ସରିଛି। ଏହି ପୋଖରୀରେ ନୌକା ବିହାର ବ୍ୟବସ୍ଥା ସହ ଜନ୍ମପୀଠରେ ପରିକ୍ରମା ରାସ୍ତା, ବସିବା ସ୍ଥାନ, ଓଡ଼ିଆ ସଂସ୍କୃତି ସମ୍ପନ୍ନ କାର୍ଯ୍ୟକ୍ରମ ଓ ଓଡ଼ିଆ ଖାଦ୍ୟ ନିମନ୍ତେ ରେସ୍ତୋରାଁ ଆଦି ସ୍ଥାପନ ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ପୂର୍ତ୍ତ ବିଭାଗର ସଚିବ କ୍ରିଷନ କୁମାର କହିଥିଲେ ଯେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ନିମନ୍ତେ ଇତି ମଧ୍ୟରେ ଜମି ଅଧିଗ୍ରହଣ ଓ କ୍ରୟ କାର୍ଯ୍ୟ ସରିଛି। ବିଶ୍ବବିଦ୍ୟାଳୟ ନିର୍ମାଣ ନିମନ୍ତେ ୬୨ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ଏବଂ ଟେଣ୍ଡର ପ୍ରକ୍ରିୟା ଆଦି ଶେଷ କରି ତିନି ମାସ ମଧ୍ୟରେ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କୁ ସାମିଲ କରି ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ ନିମନ୍ତେ ପଦକ୍ଷେପ ନିଆଯାଉଛି। ସାହିତ୍ୟ ଏକାଡେମି ଏହି କାର୍ଯ୍ୟର ସଂଯୋଜନା କରିବ। କରୋନା ମହାମାରୀ ପରିପ୍ରେକ୍ଷୀରେ ଏହି ସମ୍ମିଳନୀକୁ ଭର୍ଚୁଆଲ୍ ମୋଡ୍‌ରେ ଆୟୋଜନ କରାଯିବ। ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ଓଡ଼ିଆ ସଂଘଗୁଡ଼ିକର ଯୋଗାଯୋଗ ଠିକଣା ଠାବ କରି ସମସ୍ତଙ୍କୁ ଏଥିରେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ବରରେ ଭଞ୍ଜକଳାମଣ୍ଡପ କିମ୍ବା ଏକାମ୍ର ହାଟ ପରି ସ୍ଥାନରେ ନିୟମିତ ଭାବେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଆୟୋଜନ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ଏହି କାର୍ଯ୍ୟକ୍ରମ ଦେଖିପାରିବେ। ପୁରୀରେ ଶ୍ରୀମନ୍ଦିର ଓ ମନ୍ଦିର ପାଖାପାଖି ଐତିହ୍ୟ ସ୍ଥାନଗୁଡ଼ିକୁ ସଂଯୋଜିତ କରି ଏକ ପ୍ରାତଃ ଐତିହ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ କହିଥିଲେ। ରାଜ୍ୟରେ ଥିବା ଜିଲ୍ଲା ପାଠାଗାରଗୁଡ଼ିକୁ ସ୍ମାର୍ଟ ପାଠାଗାରରେ ପରିଣତ କରିବା ନିମନ୍ତେ ସେସବୁରେ ବ୍ରଡ୍‌ବ୍ୟାଣ୍ଡ୍ ଇଣ୍ଟର୍‌ନେଟ୍ ସଂଯୋଗ ସହ ଅଧିକ କମ୍ପ୍ୟୁଟରର ବ୍ୟବସ୍ଥା ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ବୈଠକରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁସ୍ତକମେଳାର ଆୟୋଜନ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଭର୍ଚୁଆଲ୍ ଏକାଡେମି ମାଧ୍ୟମରେ ସହଜ ଓଡ଼ିଆ ଶିକ୍ଷା, ସରକାରୀ କାର୍ଯ୍ୟାଳୟକୁ ଆସିଥିବା ଓଡ଼ିଆ ଭାଷା ଚିଠିପତ୍ରର ଓଡ଼ିଆ ଭାଷାରେ ଉତ୍ତର, ସମସ୍ତ ସରକାରୀ ଉତ୍ସବକୁ ଓଡ଼ିଆ ଭାଷାରେ ପରିଚାଳନା, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜନ୍ମସ୍ଥାନ କପିଳେଶ୍ବରପୁର ଓ ସାତଲହଡ଼ି ମଠରେ ରାଜ୍ୟସ୍ତରୀୟ ସମାରୋହ ପାଳନ ଆଦି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ କୁମାର ମିଶ୍ର ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର