ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଧୀନ ଭଦ୍ରାସାହି ପଂଚାୟତ, ଟଣ୍ଟ ଗ୍ରାମରେ ‘ମାଗେ ପର୍ବ’ ପାଳନବେଳେ ଅଘଟଣ ଘଟିଛି। ମଧ୍ୟରାତ୍ରୀରେ ଦୁର୍ବୃତ୍ତମାନେ  ଟେଣ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ପୂର୍ବବର୍ଷ ଭଳି ଏଥର ମଧ୍ୟ ଭଦ୍ରାସାହି ପଂଚାୟତ, ଟଣ୍ଟ ଗ୍ରାମବାସୀ ମାଗେ ପର୍ବ ପାଳନ କରିଥିଲେ। ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପର୍ବ ପାଳନ ନିମନ୍ତେ ସୁଦୂର ଝୁମ୍ପୁରା ଥାନା, ସୁରୁପତଳା ଗ୍ରାମର ଜିତେନ୍ଦ୍ର ପାତ୍ରଙ୍କ "ଦେବୁନୁ ଡିଜେ ସାଉଣ୍ଡ" ଓ ଟେଣ୍ଟକୁ ଗ୍ରାମବାସୀ ଭଡାସୁତ୍ରରେ ଆଣିଥିଲେ। ପର୍ବର ପ୍ରଥମ ଦିନ ଖୁବ ଧୂମଧାମରେ ଲୋକେ ପାଳନ କରି ବିଳମ୍ବିତ ରାତିରେ ନିଜ ନିଜ ଘରକୁ ଚାଲିଯାଇଥିଲେ। ୧୬ ତାରିଖ ବିଳମ୍ବିତ ରାତି ପ୍ରାୟ ୧ ଘଟିକା ସମୟରେ ଦୁଇଜଣ ଦୁବୃତ୍ତ ସାଉଣ୍ଡ ସିଷ୍ଟମରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ।

ତେବେ ନିଆଁ ଅଣାୟତ୍ତ ହୋଇ ସାଉଣ୍ଡ ସିଷ୍ଟମକୁ ସମ୍ପୂର୍ଣ୍ଣ ଜାଳି ସାରିବାପରେ ଟେଣ୍ଟରେ ନିଆଁ ଲାଗିଯାଇଥିଲା। ସାଉଣ୍ଡ ଦାୟିତ୍ୱରେ ଥିବା ୩ ଜଣ ଯୁବକ ପିଣ୍ଟୁ ମହାନ୍ତ, ରବି ମୁଣ୍ଡା ଓ ପବନ କୁମାର ପାତ୍ର ନିଘୋଡ଼ ନିଦରେ ଶୋଇଥିବାବେଳେ ନିଆଁ ଧାସରେ ସେମାନଙ୍କର ନିଦ ଭାଙ୍ଗିଯାଇଥିଲା। ନିଆଁ ହୁତୁହୁତୁ ହୋଇ ଜଳୁଥିବାବେଳେ ନିଆଁକୁ ଆୟତ କରିବାର କୌଣସି ସାଧନ ନଥିବାରୁ ନିମିଷକ ମଧ୍ୟରେ ସାଉଣ୍ଡ ସିଷ୍ଟମ ସହ ୧୦ ଲକ୍ଷା ଟଙ୍କାର ଟେଣ୍ଟ ପୋଡି ପାଉଁଶ ହୋଇଯାଇଥିବା ବେଳେ ୩ ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଏନେଇ ଟଣ୍ଟ ଗ୍ରାମବାସୀ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ପର୍ବ ପାଳନ ନିମନ୍ତେ ଗ୍ରାମର ଦୁଇ ଗୋଷ୍ଠୀ ପର୍ବ ପାଳନ ସ୍ଥାନ ନିରୂପଣ ସମୟରେ କଥା କଟାକଟି ହୋଇଥିଲେ। ତେଣୁ ଅସନ୍ତୁଷ୍ଟ ଗୋଷ୍ଠୀ ଏହି ଅଘଟଣ ଘଟଇଥିବା ଆଶଙ୍କା କରାଯାଉଛି।