ବରଗଡ଼: ରବି ହେଉ କି ଖରିଫ୍, ଯନ୍ତ୍ରଣାରେ ଛଟପଟ ହେଉଛି ଚାଷୀ। କୌଣସି ଚାଷୀ ଧାନ ବିକ୍ରି ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହଁ। ଧାନ ବିକ୍ରି ସମୟରେ ପ୍ରାକୃତିକ ବିପର୍ଯ୍ୟୟ ତ କାଳ ସାଜିଛି। କିନ୍ତୁ ଚାଷୀକୁ ମିଳୁଥିବା ମଣିଷକୃତ ଯନ୍ତ୍ରଣା ସୀମା ଟପି ଯାଇଛି। ମଣ୍ଡିର ଭିତ୍ତିଭୂମି ଅଭାବ ସାଂଗକୁ ବେପରୁଆ ନୀତି ଯୋଗୁଁ ଚାଷୀ ପେଷି ହୋଇ ଯାଉଛି। ବରଗଡ଼ ଜିଲ୍ଲାରେ ରହିଛି ୭୩ଟି ସକ୍ରିୟ ମଣ୍ଡି। ଏହାବାଦ୍ ଖରିଫ୍ରେ ପାଖାପାଖି ୧୨୦ ଏବଂ ରବିରେ ୧୫୦ କେନ୍ଦ୍ରରେ ଧାନ କିଣା ଚାଲିଥାଏ। କିନ୍ତୁ ଏସବୁ ସ୍ଥାନରେ ଭିତ୍ତିଭୂମି କହିଲେ କିଛି ନାହିଁ। ସୂଚନା ମୁତାବକ, ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଚାଷୀମାନଙ୍କୁ ୨୪ ପ୍ରକାର ସୁବିଧା ଦେବା କଥା। ଏଥିରେ ଧାନ ସୁରକ୍ଷିତ ରଖିବା ସାଂଗକୁ ଚାଷୀଙ୍କ ସୁବିଧା ମଧ୍ୟ ରହିଛି। କିନ୍ତୁ ବରଗଡ଼ ଜିଲ୍ଲାର ମଣ୍ଡିଗୁଡ଼ିକରେ ମାତ୍ର ୫ରୁ ୭ ହଜାର କ୍ବିଣ୍ଟାଲ ଧାନ ରଖିବା କ୍ଷମତା ରହିଛି। ମଣ୍ଡି କିମ୍ବା ଧାନକ୍ରୟ କେନ୍ଦ୍ରରେ ବିଜୁଳି ବି ରହୁନାହିଁ। କମ୍ପ୍ୟୁଟର୍ରେ ନେଟୱର୍କ ରହୁନି। ସ୍ଥିତି ଏଭଳି ଯେ, ଧାନ ଚୋରି ରୋକିବାକୁ ବି କିଛି ବ୍ୟବସ୍ଥା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କ ଧାନ ଚୋରି ହେଲେ ଥାନାରେ ମାମଲା ହେଉଛି। ହେଲେ କେହି ଧରା ପଡ଼ୁନାହାନ୍ତି। ଧାନ କିଣାବିକା ପ୍ରକ୍ରିୟାରେ ସବୁ ସ୍ତରରେ କମିସନ୍ ବ୍ୟବସ୍ଥା ରହୁଛି। କିନ୍ତୁ ଚାଷୀ ହାତରେ କିଛି ନାହିଁ। ଧାନ କିଣା ପ୍ରକ୍ରିୟା ବାବଦକୁ ଆର୍ଏମ୍ସି କ୍ବିଣ୍ଟାଲ ପିଛା ୨ ପ୍ରତିଶତ କମିସନ୍ ପାଉଛି। ସେହିପରି ଯେଉଁ ସଂସ୍ଥା ଧାନ କିଣାରେ ସାମିଲ ରହୁଛି, ତାକୁ ମିଳୁଛି ୧.୧୯% କମିସନ୍। ଏହାବାଦ୍ ଲୋଡିଂ/ଅନ୍ଲୋଡିଂ ବାବଦକୁ ଦୁଇଟି କିସମର ଶ୍ରମିକଙ୍କୁ ୮.୪୮ ଟଙ୍କା ଏବଂ ୧୪ ଟଙ୍କା ମିଳୁଛି। ଧାନ କିଣାବିକା ପ୍ରକ୍ରିୟାରେ ସାମିଲ ଅଧିକାରୀମାନଙ୍କ ଭାଗରେ ୧% କମିସନ୍ ପଡ଼ୁଛି। ପ୍ରଶାସନିକ ଖର୍ଚ୍ଚ ବାବଦକୁ ବି ଗୋଟିଏ ପ୍ରତିଶତ କମିସନ୍ ରହୁଛି। ଗୋଟିଏ କ୍ବିଣ୍ଟାଲ ଧାନରେ ଉପରୁ ତଳ ଯାଏଁ ଥିବା କର୍ମଚାରୀ ଏବଂ ଅଧିକାରୀ ଲାଭାନ୍ବିତ ହେଉଛନ୍ତି।
କିନ୍ତୁ ଚାଷୀର ଦୁଃଖ ଲାଘବ ହେଉନାହିଁ। ଘରୁ ମଣ୍ଡିର ଦୂରତା ୮ କିଲୋମିଟର୍ କିମ୍ବା ଏହାଠୁ ଅଧିକ ଥିଲେ, ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୧୦ ଟଙ୍କା ମିଳିବା କଥା। କିନ୍ତୁ ବରଗଡ଼ ଜିଲ୍ଲା ଇତିହାସରେ କୌଣସି ଚାଷୀ ଏହି ସୁବିଧା ଆଜି ଯାଏ ପାଇନାହାନ୍ତି। ଆର୍ଏମ୍ସି ପାଖରେ ପର୍ଯ୍ୟାପ୍ତ ଟଙ୍କା ଥିବା ସତ୍ବେ ମଣ୍ଡିଗୁଡ଼ିକର ବିକାଶ ହେଉନାହିଁ। ଗତ ୧୦ ବର୍ଷ ମଧ୍ୟରେ ବରଗଡ଼ ଆର୍ଏମ୍ସି ୭୪ କୋଟି ଟଙ୍କା, ଅତାବିରା ଆର୍ଏମ୍ସି ୯୦ କୋଟି ଏବଂ ପଦ୍ମପୁର ଆର୍ଏମ୍ସି ପାଖରେ ୩୬ କୋଟି ଟଙ୍କା ମଣ୍ଡି ହ୍ୟାଣ୍ଡଲିଂ ବାବଦକୁ ରହିଛି। କିନ୍ତୁ ପ୍ରତି ବର୍ଷ ଛାଉଣି ନଥିବାରୁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହୁଛି। ଯଦି ମଣ୍ଡିର ଭିତ୍ତିଭୂମି ବିକାଶ ହୁଏ, ତେବେ ଚାଷୀ ପାଖାପାଖି ସହାୟକ ମୂଲ୍ୟ ଦରରେ ଧାନ ବିକିପାରନ୍ତେ। ମଣ୍ଡିରେ ସୁବ୍ୟବସ୍ଥା ନଥିବାରୁ ଚାଷୀ ଖଳାରେ କିମ୍ବା ବିଲରେ ଧାନ ପକାଇ ରଖୁଛନ୍ତି। ଯାହା ପ୍ରାକୃତିକ ବିପର୍ଯ୍ୟୟରେ ନଷ୍ଟ ହୋଇଯାଉଛି।