ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଲମ୍ଫ ଡ଼ିଆଁ ମାରି ଚାଲିଛି ମହାମାରୀ କରୋନା। ତିନି ଅଙ୍କରୁ ଏବେ ୪ ଅଙ୍କ ଛୁଇଁଛି। ଗତ କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୧୧ଶହ ଉପରେ ରହୁଛି। ସଂକ୍ରମଣ ରୋକିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ବିଶେଷ କରି ରାଉରକେଲାକୁ ଅବାଧ ପ୍ରବେଶ କରୁଥିବା ଝାଡ଼ଖଣ୍ଡ ଲୋକଙ୍କ ଉପରେ ପୁଲିସ, ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି। କିନ୍ତୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗଳାବାଟରେ ଚାଲିଛି ଅବାଧ ପ୍ରବେଶ। ପୁଲିସ ଯେଉଁଠି ଯାଞ୍ଚ କରୁଛି ତା’ ୫୦୦ ମିଟର ପୂର୍ବର ଗଳାବାଟ ଦେଇ ଯାତାୟତ କରୁଛନ୍ତି ଝାଡ଼ଖଣ୍ଡର ଶହ ଶହ ଲୋକ। କେବଳ ମୋଟରବାଇକ୍ ନୁହେଁ କାର୍, ଟ୍ରକ ମଧ୍ୟ ଯିବା ଆସିବା କରୁଛି।
ଶହ ଶହ ବ୍ୟବସାୟୀ ଦୈନନ୍ଦିନ ଏସବୁ ଗଳାବାଟ ଦେଇ ଅବାଧରେ ସହରକୁ ପ୍ରବେଶ କରୁଛନ୍ତି। ଏମାନଙ୍କୁ ରୋକିବାକୁ ଯେମିତି କେହି ନାହିଁ। ଏଯାଏଁ ଏସବୁ ଗଳାବାଟ ସିଲ୍ ହୋଇ ନାହିଁ କି ପୁଲିସ ପକ୍ଷରୁ ଯାଞ୍ଚ ମଧ୍ୟ କରାଯାଉ ନାହିଁ। ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡାରୁ ଝାଡଖଣ୍ଡ ଯାଇଥିବା ମୁଖ୍ୟ ରାସ୍ତାରେ ପୁଲିସ, ସ୍ଥାନୀୟ ଶିକ୍ଷକ ଯାଞ୍ଚ ସମ୍ଭାଳିଛନ୍ତି। ଅସ୍ଥାୟୀ ପୁଲିସ ପୋଷ୍ଟ ମଧ୍ୟ ହୋଇଛି। ଯେଉଁଠି ଡ୍ୟୁଟି କରୁଛନ୍ତି ଜଣେ ଦୁଇଜଣ ପୁଲିସ ଓ ତାଙ୍କୁ ସହାୟତା କରୁଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ଶିକ୍ଷକ। ଯେଉଁଠି ଯାଞ୍ଚ ଚାଲିଛି ତା’ର୫୦୦ ମିଟର ପୂର୍ବରୁ ଉର୍ମେଇ ପଞ୍ଚାୟତର ଗଳାବାଟ ଦେଇ ଝାଡଖଣ୍ଡର ଶହ ଶହ ବ୍ୟବସାୟୀ ସହରକୁ ଆସୁଛନ୍ତି। ଅନୁରୂପ ଝାଡ଼ଖଣ୍ଡ ମନୋହରପୁର ଆସୁଥିବା ଲୋକେ ବାଗଡେଗା ପଞ୍ଚାୟତ ପତ୍ରାପାଲି ବମ୍ବୁଆ ଦେଇ ରାଉରକେଲାକୁ ପ୍ରବେଶ କରୁଛନ୍ତି। ନିଜର କାମ ସାରି ପୁଣି ସେହି ବାଟ ଦେଇ ନିଜ ନିଜ ଗାଁକୁ ଫେରି ଯାଉଛନ୍ତି।
/sambad/media/post_attachments/wp-content/uploads/2021/05/1ec9665c-2e4a-4f4b-985b-a7fc96a473ab.jpg)
ଝାଡ଼ଖଣ୍ଡର ହୃର୍ଦ୍ଦା ରାସ୍ତା ଦେଇ ଆସୁଥିବା ଝାଡ଼ଖଣ୍ଡର ଗାଡି ମୋଟର ବଡଯୋଜଦା ଚଟା ପଞ୍ଚାୟତ ଭିତର ରାସ୍ତା ହୋଇ ରାଉରକେଲାରେ ପହଞ୍ଚି ଯାଉଛନ୍ତି। ନ ହେଲେ ସୀମାନ୍ତ ନୂଆଗାଁ, ବିଶ୍ରା, ହାତୀବାରୀ, ବୀରମିତ୍ରପୁର ଆଦି ମାର୍କେଟରେ ମାର୍କେଟିଂ କରି ଅବାଧରେ ଫେରି ଯାଉଛନ୍ତି। ହାତୀବାରି ଥାନା ଅଧୀନରେ ମଧ୍ୟ କିଛି ଗଳାବାଟ ରହିଛି। ଏଠି ମଧ୍ୟ ସେହି ସମାନ ସ୍ଥିତି। ପୁଲିସ ଝାଡ଼ଖଣ୍ଡକୁ ସଂଯୋଗ ରାସ୍ତାରେ ଯାଞ୍ଚ କରୁଛି। ଏମାନେ ପୁଲିସ୍କୁ ଚକ୍ମା ଦେଇ ଗଳା ରାସ୍ତାକୁ ଯାତାୟତର ପ୍ରମୁଖ ମାଧ୍ୟମ ଭାବେ ବାଛି ନେଇଛନ୍ତି। ଝାଡ଼ଖଣ୍ଡର ଓଡଗାଁରୁ ଆସୁଥିବା ଲୋକମାନେ ଜାହାରିଟୋଲି ଦେଇ ହାତୀବାରି ପହଞ୍ଚି ଯାଉଛନ୍ତି। ଝାଡ଼ଖଣ୍ଡର ପରବା ଅଞ୍ଚଳର ଶହ ଶହ ଲୋକ ପୋଟବା ରାସ୍ତା ଦେଇ ହାତୀବାରି ଓ ବୀରମିତ୍ରପୁର ପ୍ରମୁଖ ମାର୍କେଟକୁ ଆସୁଛନ୍ତି। ଝାଡ଼ଖଣ୍ଡ ଜଲଡେଗା, ରାଞ୍ଚି, ବିହାର ପ୍ରାୟ ୭୦ ପ୍ରତିଶତ ଲୋକ ନୂଆଗାଁ ବ୍ଲକର କରଡେଗା ପଞ୍ଚାୟତର ଗଳା ରାସ୍ତା ଦେଇ ହାତୀବାରିକୁ ଅବାଧରେ ଯିବା ଆସିବା କରୁଛନ୍ତି। ଏସବୁ ଗଳାବାଟକୁ ସିଲ୍ କରାନଗଲେ ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ସୁନ୍ଦରଗଡର ଶହ ଶହ ଗାଁ ସମେତ ରାଉରକେଲା ସହରର ସଂକ୍ରମଣକୁ ଯେ ଦ୍ବିଗୁଣିତ ନ କରିବ, କହିବା ମୁସ୍କିଲ। ଏଥିପ୍ରତି ଉଭୟ ସୁନ୍ଦରଗଡ, ରାଉରକେଲା ପୁଲିସ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/4d68ab2f-5051-45d3-aed1-f16bafa6d57b.jpg)