ଗଣତନ୍ତ୍ର ମାଧ୍ୟମରେ ଲୋକେ ଏକଛତ୍ରବାଦ ଚାହୁଛନ୍ତି: ନରସିଂହ

ଭୁବନେଶ୍ବର : ଶନିବାର ପ୍ରଥମ ଦିନର ଭୋଟ ଗଣତି ବେଳେ ବିଜେଡି ଜିଲ୍ଲା ପରିଷଦ ନିର୍ବାଚନରେ ଏକତରଫା ଭାବେ ଆଗୁଆ ଥିବା ଖବର ଆସୁଥିବା ବେଳେ ମଧ୍ୟାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚକିତ କଲା ଭଳି ପ୍ରତିକ୍ରିୟା ରଖି ଆଲୋଡ଼ନ ସୃଷ୍ଟି କରିଛନ୍ତି। କନକ ନ୍ୟୁଜ୍‌ର ସମ୍ପାଦକ ‌ମନୋରଂଜନ ମିଶ୍ରଙ୍କ ସଂଯୋଜନାରେ ଏକ ଟିଭି ଆଲୋଚନାରେ ଭାଗ ନେଇ ଶ୍ରୀ ମିଶ୍ର ଫଳାଫଳର ଆଦ୍ୟ ସୂଚନା ବିଷୟରେ ନିଜ ପ୍ରତିକ୍ରିୟାରେ କହିଥିଲେ, ‘ଗଣତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ଲୋକେ ଏକଛତ୍ରବାଦ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି।’

ଉକ୍ତ ଆଲୋଚନାର ଅନ୍ୟ ଜଣେ ବିଶ୍ଳେଷକ ଶ୍ରୀ ମିଶ୍ରଙ୍କର ଏପରି ରୋଚକ ମନ୍ତବ୍ୟ ଉପରେ ଆପତ୍ତି ଉଠାଇବାରୁ ସେ ପାଲଟା ଯୁକ୍ତିକରି କହିଥିଲେ, ‘ରାଜ୍ୟରେ ଦରଦାମ ନିୟନ୍ତ୍ରଣରେ ନାହିଁ, ଚାଷୀଙ୍କ ହାଲ୍‌ ସଙ୍ଗୀନ, ବେରୋଜଗାରୀ ସମସ୍ୟା ଉତ୍କଟ। ତା’ସତ୍ତ୍ବେ ଯଦି ବିଜେଡି ସପକ୍ଷରେ ରାଜ୍ୟବାସୀଙ୍କର ଏପରି ଏକତରଫା ସମର୍ଥନ ଆସୁଛି ତାକୁ ତାହାହେଲେ ଆଉ କ’ଣ କୁହାଯିବ?’ ନିଜ ଜିଲ୍ଲା ବଲାଙ୍ଗୀର ବିଶେଷ କରି ନିଜ ବିଧାନସଭା କ୍ଷେତ୍ରରେ ଆସୁଥିବା ଫଳାଫଳର ଟ୍ରେଣ୍ଡ୍‌ ବିଷୟରେ ଆଶ୍ଚର୍ଯ୍ୟ ପ୍ରକଟ କରି ସେ କହିଥିଲେ, ‘ଏଥର ଆମ ଶୋଭାଯାତ୍ରାମାନଙ୍କରେ ଯେତେ ଲୋକ ହେଉଥିଲେ, ଏପରିକି ସାଧାରଣ ନିର୍ବାଚନରେ ମଧ୍ୟ ଅନ୍ୟମାନଙ୍କର ଏତେ ଲୋକ ହେଉନଥିବେ। ଅଥଚ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକହେବାକୁ ଯାଉଛି।’

ତେବେ ନିଜ ଦଳ କଂଗ୍ରେସ ପୂର୍ବାପେକ୍ଷା ଦୁର୍ବଳ ହୋଇଥିବା ସ୍ବୀକାର କରିଥିଲେ ହେଁ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରୁଥିବାର ଏହା ପ୍ରାକ୍-ସୂଚନା କି ବୋଲି ପ୍ରଶ୍ନରେ ସେ ଏକମତ ହୋଇନଥିଲେ। ସେ ଆହୁରି କହିଥିଲେ, ‘କଂଗ୍ରେସ ଦୁର୍ବଳ ହୋଇଛି ନା ନବୀନ ବାବୁ ଅଧିକ ଶକ୍ତିଶାଳୀ ହୋଇଛନ୍ତି ତାହା ବିଚାର୍ଯ୍ୟ। ୨୦୧୪ରେ ମୁଁ ବିଧାନସଭା ନିର୍ବାଚନ ଜିତିବା ପରେ ୨୦୧୭ରେ ଜିଲ୍ଲା ପରିଷଦରେ ଆମେ ପଛେଇଥିଲୁ। ଅଥଚ ୨୦୧୯ ବିଧାନସଭାରେ ପୁଣି ଲୋକେ ମୋତେ ଜିତାଥିଇଲେ।’

ସମ୍ବନ୍ଧିତ ଖବର