ପୁରୀ: ଆଡ଼ପପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ରଥ ଉପରୁ ପଡ଼ିଯିବା ଘଟଣାର ତଦନ୍ତକୁ ଏକପ୍ରକାର ଟାଳିଦିଆଯାଇଛି। ଇତିମଧ୍ୟରେ ଘଟଣାକୁ ଚାରିମାସ ବିତିଲାଣି। ଅଥଚ ଶ୍ରୀମନ୍ଦିର ପ୍ରଶାସନ ଏହାର ଠୋସ୍ କାରଣ ଖୋଜି ପାଇନାହିଁ କିମ୍ବା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏପଟେ ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗକୁ ଏକପ୍ରକାର ଗିଳିଦେଲେଣି। ଆଇନମନ୍ତ୍ରୀଙ୍କ ନିରବତା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ପୂର୍ବରୁ ବ୍ରହ୍ମବିଭ୍ରାଟ ତଦନ୍ତ ହେଉ କି ରତ୍ନଭଣ୍ଡାର ଚାବି ହଜିବା ଭଳି ଅନେକ ଘଟଣାର ନ୍ୟାୟିକ ତଦନ୍ତର ନିର୍ଯାସ ଆସି ପାରିନି କି ଦୋଷୀ ଦଣ୍ଡ ପାଇନାହାନ୍ତି। ଏଣୁ ଏହି କମିଟି ଗଠନ ଆଳ କେବଳ ସେବାୟତଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଭକ୍ତ ମହଲ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଜୁଲାଇ ୯ ତାରିଖରେ ତାଳଧ୍ବଜରୁ ବଡ଼ ଠାକୁରଙ୍କ ଆଡ଼ପପହଣ୍ଡି ବେଳେ ରଥ ଉପରେ ଚଢ଼ିଥିବା ଅଣସ୍ବୀକୃତ ସେବାୟତଙ୍କ ବିଶୃଙ୍ଖଳା ସୀମା ଟପିଥିଲା। ଫଟୋ ପୋଜ୍‌ ଦେବା ସହ ସେଲ୍‌ଫିରେ ମାତିଥିବା ସେବାୟତମାନେ ବଡ଼ ଠାକୁରଙ୍କ ପହଣ୍ଡି ଡୋରିକୁ ଛାଡ଼ି ଦେଇଥିଲେ। ଯେଉଁଥି ପାଇଁ ବଡ଼ଠାକୁର ଶ୍ରୀବଳଭଦ୍ର ଘୋଷାରି ହୋଇ ଆସି ମୁହଁ ମାଡ଼ି ପଡ଼ିଥିଲେ। ଏହି ଅଘଟଣ ଦୃଶ୍ୟ ଦେଖିବା ପରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ସାରା ବିଶ୍ବର ଶ୍ରୀଜଗନ୍ନାଥପ୍ରେମୀ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସେବାୟତମାନେ ଏହାର ତୀବ୍ର ନିନ୍ଦା କରିଥିଲେ। 

Advertisment

ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି ଏ ନେଇ ବିଷ ଓଗାଳିଥିଲେ। ତମ୍ବିତୋଫାନ ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଅତିରିକ୍ତ ଜିଲ୍ଲାପାଳ ଓ ସିଟି ଡିଏସ୍‌ପିଙ୍କୁ ନେଇ ୩ଜଣିଆ କମିଟି ଗଠନ କରାଗଲା। କମିଟି ବି ତଦନ୍ତ କରି ଶ୍ରୀମନ୍ଦିର ପ୍ରଶାସନକୁ ତା’ର ରିପୋର୍ଟ ଦେଇଥିଲା। କିନ୍ତୁ କ’ଣ ହେଲା କେଜାଣି, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତଦନ୍ତ ରିପୋର୍ଟକୁ ଅଧାପନ୍ତରିଆ ବୋଲି ଦର୍ଶାଗଲା। ଗତ ଅଗଷ୍ଟ ୩୦ ତାରିଖ ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଥିଲେ, ତଦନ୍ତ କମିଟି ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ ନିର୍ଦ୍ଦିଷ୍ଟ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ତାହା କହିନାହାନ୍ତି। ଏଣୁ ତିନିଜଣିଆ କମିଟି ପୁଣିଥରେ ତଦନ୍ତ କରି ନିର୍ଦ୍ଦିଷ୍ଟ ଭାବେ କାରଣ ଉଲ୍ଲେଖ କରିବା ସହ ସଂପୃକ୍ତ ସେବାୟତ ଓ ଅନ୍ୟମାନଙ୍କ ନାମ ଦର୍ଶାଇବାକୁ କୁହାଯାଇଛି। ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି ଏବଂ ସେହି ଅନୁସାରେ କମିଟିକୁ ଅବଗତ କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। କିନ୍ତୁ ଏହି ଅଘଟଣକୁ ୪ ମାସ ଓ ପରିଚାଳନା କମିଟି ବୈଠକ ନିଷ୍ପତ୍ତିକୁ ଦୁଇ ମାସ ବିତିଥିଲେ ବି ତଦନ୍ତରେ ଅଗ୍ରଗତି ଦେଖାଦେଇନି। ଏଠାରେ ଉଲ୍ଲେଖଥାଉକି, ଏହି ଘଟଣାରେ ଗଜପତି ମହାରାଜା ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ।