ହତ୍ୟା ପ‌ରେ କୂଅରେ ଫିଙ୍ଗିଦେଲେ; ହାତଗୋଡ଼ ବନ୍ଧା ଶବ ଉଦ୍ଧାର

ଜଗନ୍ନାଥପ୍ରସାଦ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ପଛପଟେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ଶବ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ହେଲେ, ଜଳିସାହିର ଶଙ୍କର ମହାନ୍ତି (୨୧)। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୁହଁରେ ଲାଲ୍‌ କପଡ଼ା ଏବଂ ଦୁଇ ଗୋଡ଼ ଓ ଦୁଇ ହାତକୁ ପଛରୁ ରଶିରେ ଶକ୍ତ ଭାବେ ବନ୍ଧାଯାଇଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଶଙ୍କରଙ୍କୁ ହତ୍ୟା କରାଯାଇ ଥାଇ ପାରେ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି। ଶବ ବ୍ୟବ‌ଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ମୃତକ ଶଙ୍କର ହେଉଛନ୍ତି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଚମ୍ପେଇତପୁର ଗ୍ରାମର ମୂଳବାସିନ୍ଦା। ବାପାଙ୍କ ମୃତ୍ୟୁ ପରେ ସେ ମାଆ ଇନ୍ଦୁଙ୍କ ସହ ଜଗନ୍ନାଥପ୍ରସାଦରେ ମାମୁଙ୍କ ଘ‌ରେ ୧୦ ବର୍ଷ ହେଲା ରହୁଛନ୍ତି। ଇନ୍ଦୁ ଜଣେ ଅଙ୍ଗନବାଡ଼ି ସହାୟିକା। ଶଙ୍କର ଏକ ଫାଷ୍ଟଫୁଡ୍ ସେଣ୍ଟରରେ କାମ କରୁଥିଲେ।

ଗତ ପାଞ୍ଚ ତାରିଖରେ ଦୋକାନ ବନ୍ଦ ଥିବା ବେଳେ ଶଙ୍କର ସନ୍ଧ୍ୟାରେ ଘରୁ ବାହାରକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ମାଆ ଇନ୍ଦୁ ଶୁକ୍ରବାର ରାତି ସାରା ଓ ଗତକାଲି ଶଙ୍କରଙ୍କୁ ଖୋଜାଖୋଜି କରି ଠାବ କରିପାରି ନଥିଲେ। ବନ୍ଧୁବାନ୍ଧବଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ଶଙ୍କରଙ୍କ ଖୋଜ୍‌ଖବର ନମିଳିବାରୁ ଗତକାଲି ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ଥାନାରେ ଏତଲା ଦେଇଥିଲେ। ରାତିରୁ ହିଁ ପୁଲିସ ଖୋଳତାଡ଼ ଆରମ୍ଭ କରିଦେଇଥିଲା।

ଆଜି ସକାଳେ ଯୁଧିଷ୍ଠିର ବିଦ୍ୟାପୀଠ ବିଦ୍ୟାଳୟ ପଛଭାଗ‌ରେ ଥିବା ଏକ ପରିତ୍ୟକ୍ତ କୂଅ ନିକଟରେ ‌ଗୋଟିଏ ଚପଲ୍ ଓ ଭିତରେ ଗୋଟିଏ ଚପଲ୍ ପଡ଼ିଥିଲା। ପୁଲିସ କୂ୍ଅ ପାଖରେ ପହଞ୍ଚିବା ପରେ ମୃତକ ଶଙ୍କରଙ୍କ ଅଜା ପୀତାମ୍ବରଙ୍କୁ ଡକାଯାଇଥିଲା। ଏହି ଚପଲ୍ ତାଙ୍କ ନାତିଙ୍କ ବୋଲି ପୀତାମ୍ବର କହିବା ପରେ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା। ଜଗନ୍ନାଥପ୍ରସାଦ ଦମକଳବାହିନୀ ଷ୍ଟେସନ୍ ଅଧିକାରୀ ବିକାଶ ମୁଦୁଲି ସଦଳବଳ ପହଞ୍ଚିବା ପରେ କୂଅ ଭିତରୁ ଶଙ୍କରଙ୍କ ହାତଗୋଡ଼ ବନ୍ଧାଯାଇଥିବା ଶବ ଉଦ୍ଧାର କରାଯାଇଥିଲା। କୌଣସି ସ୍ଥାନରେ ଦୁର୍ବୃତ୍ତ ମାନେ ତାଙ୍କୁ ହତ୍ୟା କରିବା ପରେ ଏଠାରେ ଆଣି ଫୋପାଡ଼ିଦେଇପାରିଥାନ୍ତି ବୋଲି ଜଣାପଡ଼ିଛି।

ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ, ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାଶ ଓ ତାରସିଂ ଥାନାଧିକାରୀ ସବ୍ୟସାଚୀ ମଲ୍ଲ ପହଞ୍ଚି ତଦନ୍ତ କରିଥିଲେ। ଏହାସହ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍‌ସ୍କ୍ବାଡ଼୍‌ ଆସି ଛାନଭିନ୍ କରିଥିବା ଜଣାପଡ଼ିଛି। ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଛି। ଏନେଇ କେସ୍ ନମ୍ବର ୩୨ ଅନୁସାରେ ଏକ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ଏକମାତ୍ର ପୁଅକୁ ହରାଇ ମାଆ ଇନ୍ଦୁ ଭାଙ୍ଗିପଡ଼ିଛନ୍ତି।

ସମ୍ବନ୍ଧିତ ଖବର