୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନ୍ୟ ୬ଟି ଜିଲ୍ଲାରେ ହୋଇପାରେ କାଳବୈଶାଖୀ, ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଉପକୂଳ ଓଡ଼ିଶା ଠାରୁ ଆରମ୍ଭ କରି ପଶ୍ଚିମ, କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଗତ ସପ୍ତାହରୁ ଲାଗି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆଜି ମଧ୍ୟ ଜାରି ରହିଛି । ପ୍ରବଳ ଖରା ଓ ତାତିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସାଧାରଣ ଜନଜୀବନ। ଏହି ପରିପ୍ରେକ୍ଷୀରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କନ୍ଧମାଳ, ରାୟଗଡ଼ା ଓ ଗଜପତି ପ୍ରଭୃତି ରାଜ୍ୟର ଏହି ୬ଟି ଜିଲ୍ଲାରେ କୁଆପଥର ମାଡ ସହ ଝଡ଼ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଅପରାହ୍ଣରେ ସତର୍କ ସୂଚନା ଜାରି କରାଯାଇଛି। ଘୂର୍ଣ୍ଣଝଡ଼ ଓ କାଳବୈଶାଖୀ ପ୍ରଭାବରେ ଏହି ସମସ୍ତ ଅଞ୍ଚଳର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଘୂର୍ଣ୍ଣଝଡ଼ ଓ କାଳବୈଶାଖୀ ସମୟରେ ବିଜୁଳି ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମୟରେ ଘରୁ ପଦାକୁ ନ ବାହାରିବା ପାଇଁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ପଶ୍ଚିମ ଓଡ଼ିଶା କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ମଧ୍ୟ ସତର୍କ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୩.୯ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇ ଥିବା ବେଳେ ସର୍ବନିମ୍ନ ତାପମାତ୍ର ସୁନ୍ଦରଗଡ଼ରେ ୨୨ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଥିବା ବେଳେ ଓଡ଼ିଶାର ବାକି ସ୍ଥାନରେ ପାଗ ଶୁଖିଲା ରହଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର