ଭୁବନେଶ୍ୱର: ସଂପ୍ରତି ସମଗ୍ର ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ପାଣିପାଗର ଏପରି ସ୍ଥିତି ଆଗକୁ ଆହୁରି କିଛିଦିନ ପାଇଁ ଜାରି ରହିବ। ତେବେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ମଧ୍ୟ ରହିଛି।

Advertisment

ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ମେ’ ୩୧ ତାରିଖ ବୁଧବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର କିଛି ଜିଲ୍ଲାରେ ଘଣ୍ଟା ପ୍ରତି ୩୦- ୪୦ରୁ ଆରମ୍ଭ ହୋଇ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ, ଘଡ଼ଘଡ଼ି ସହ ଘୂର୍ଣ୍ଣିଝଡ଼ ବା କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି।

publive-image

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କାଳହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏବଂ କାଳବୈଶାଖୀ ସମୟରେ ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ମଧ୍ୟରେ ରହିବ। ସେହିଭଳି  କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଗଜପତି, ଓ ଗଞ୍ଜାମ ଆଦି ଜିଲ୍ଲାର କିଛି ଅଞ୍ଚଳରେ କାଳବେଶାଖୀଜନିତ ହାଲୁକା ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

ଏଥିସହ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି  ଜାରି ସତର୍କ ସୂଚନାରେ କୁହାଯାଇଛି। ଏପରିସ୍ଥିତିରେ ଉପରୋକ୍ତ ୨୨ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ସହ ବଜ୍ରପାତ ସମୟରେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

publive-image

ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ସେହିପରି ଉପକୂଳ ଓଡ଼ିଶାରେ ପାରା ୪୦ ଡିଗ୍ରି ଟପିବ। ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।