ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଓ ଉପକଣ୍ଠ ଅଞ୍ଚଳରେ ଆଜି ଅପରାହ୍‌ଣ ସାଢ଼େ ୩ଟାରେ କାଳବୈଶାଖୀ ତାଣ୍ଡବ ରଚାଇଛି। ମାତ୍ର ଘଣ୍ଟାଏ ଭିତରେ ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଠାକୁରାଣୀ ଯାତ୍ରା ପାଇଁ ହୋଇଥିବା ସାଜସଜ୍ଜା ବିଶେଷମାତ୍ରାରେ ପ୍ରଭାବିତ ହୋଇଛି। ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସାମ୍ନାରେ ନିର୍ମାଣ ହୋଇଥିବା ଯାତ୍ରା ଲାଇଟ୍ ଗେଟ୍ ତଳେ ପଡ଼ିଯାଇଛି। ସେହିପରି ସହର ଚାରିପାଖରେ ଲାଗିଥିବା ବିଭିନ୍ନ ତୋରଣର ଆଲୋକ ନଷ୍ଟ ହୋଇଯାଇଥିବା ସହ କପଡ଼ା ଗୁଡ଼ିକ ଚିରିଯାଇଛି। ମୀନାବଜାର‌ରେ ଦୋଳି ଭାଙ୍ଗିଥିବା ବେଳେ ବାଇପାସ୍ ରୋଡ଼୍‌ରେ ହୋଇଥିବା ଅପେରା ପେଣ୍ଡାଲ୍‌ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।
ଆଜି ସକାଳୁ ହିଁ ଗ୍ରୀଷ୍ମର ପ୍ରକୋପ ବଢ଼ିବା ସହ ପ୍ରବଳ ଗରମ ଅନୁଭୂତ ହୋଇଥିଲା। ତେବେ ଅପରାହ୍‌ଣ ୩ଟାରେ ହଠାତ୍ ପାଗ ମେଘୁଆ ହୋଇଥିଲା। ପବନ ସାଙ୍ଗକୁ ବର୍ଷା ଆରମ୍ଭ ‌ହୋଇଯାଇଥିଲା। ଯାତ୍ରାର ତୋରଣ, ମୀନାବଜାର ଓ ଅପେରା ପେଣ୍ଡାଲ୍‌ କ୍ଷତିଗ୍ରସ୍ତ ହୋଇଥିବା ସହ ଅନେକ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଯାଇଥିଲା। ଶ୍ରୀରାମ ନଗରରେ ମିଟୁ ନାୟକ, ଖ୍ରୀଷ୍ଟିଆନ୍‌ ସାହିର କାଳିଆ ବିଷୋୟୀ ଏବଂ କାଳୀକନ୍ଧ ରଞ୍ଜିଙ୍କ ଘର ଭାଙ୍ଗିଯାଇଥିଲା। ରାଜସ୍ବ ବିଭାଗ କ୍ଷୟକ୍ଷତି ଆକଳନ କରି ଫେରିଛି।

Advertisment

ଅନେକ ସ୍ଥାନରେ ଗଛ ପଡ଼ିବାରୁ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଥିଲା। ବିଦ୍ୟୁତ୍ ବିଭାଗ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରିବା ପରେ ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ସେବା ସ୍ବାଭାବିକ ହୋଇଛି। ତେବେ ତାର ଛିଣ୍ଡିଯିବା ଯୋଗୁଁ ଅନେକ ଗ୍ରାମ ଏବେବି ଅନ୍ଧାରରେ ରହିଥିବା ଜଣାପଡ଼ିଛି। ‌ବେଲଗୁଣ୍ଠା ରୋଡ୍, ବାଗ‌୍‌ଦେବୀ ରୋଡ୍, ପାତ୍ର କଲୋନି, ତହସିଲଦାରଙ୍କ ବାସଭବନ ସାମ୍ନା ଓ ଭେଜିପୁଟ ଆଦି ଅଞ୍ଚଳରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଯାଇଥିଲା।

ଅନ୍ୟପକ୍ଷରେ ଅଗ୍ନିଶମବାହିନୀ ରାସ୍ତାରୁ ଗଛ କାଟି ଅବରୋଧ ହଟାଇଥିଲେ। ଡିଏଫ୍‌ଓଙ୍କ ବାସଭବନ ସାମ୍ନାରେ ଏକ ଗଛ ଡାଳ ଭାଙ୍ଗି ‘ଆଇଲଭ୍ ଭଞ୍ଜନଗର’ ସେଲ୍‌ଫି ପଏଣ୍ଟ୍ ଉପରେ ପଡ଼ିଯାଇଥିଲା। ବାଇପାସ୍‌ ରାସ୍ତାରେ ଏକ ବିରାଟ ଗଛଡାଳ ପଡ଼ିରହିଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିଶମବାହିନୀ ଗଛଗୁଡ଼ିକୁ କାଟି ବାହାର କରିଥିଲେ। ଏଥିସହ ଆଖପାଖ ଗ୍ରାମ ଗୁଡ଼ିକରେ ମଧ୍ୟ ଅନେକ ଘରର ଟିଣଛପର ଉଡ଼ିଯାଇଛି। ଫଳରେ ବହୁ ଗରିବ ଲୋକ ବାସହରା ହୋଇଛନ୍ତି। ସେହିପରି ଉଠା ବେପାରୀମାନେ ହଠାତ୍ ବର୍ଷା ‌‌ଯୋଗୁଁ ନିଜ ସାମଗ୍ରୀ ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ନେଇ ପାରି ନଥିଲେ। ଫଳ‌ରେ ସେମାନଙ୍କ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଏହିଝଡ଼ ତୋଫାନରେ ପନିପରିବା ଚାଷ ବି କ୍ଷତିଗ୍ରସ୍ତ ହୋଇଛି। ତେବ‌େ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।