କାଳବୈଶାଖୀର ତାଣ୍ଡବ: କୁଟନିପାଲି ପଞ୍ଚାୟତରେ ଶତାଧିକ ଘର ଭାଙ୍ଗିଲା, ଗଛ ଉପୁଡ଼ିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ। ଜିଲ୍ଲାର ମାଥିଲି ବ୍ଲକରେ ସବୁଠାରୁ ବେଶି କ୍ଷୟକ୍ଷତି କରି କାଳ ବୈଶାଖୀ।ଗତକାଲି ସଂଧ୍ୟାରୁ ହିଁ କ୍ଷୀପ୍ର ଗତିରେ ପବନ ବହିବା ସହ ବିଜୁଳି ଘଡଘଡି ଓ ବର୍ଷା ହୋଇଥିଲା। ମାଥିଲି ବ୍ଲକର କୁଟନିପାଲୀ ପଞ୍ଚାୟତରେ ସବୁଠାରୁ ବେଶୀ ଘର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହି ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ କ୍ଷୟକ୍ଷତି ହୋଇଛି, କିନ୍ତୁ କୁଟନିପାଲୀ ପଞ୍ଚାୟତରେ ବିଶେଷକରି ଗରିବ ଲୋକଙ୍କ ଘର ଭାଙ୍ଗିଯାଇଛି। କୁଟନିପାଲୀ ଗ୍ରାମରେ ପ୍ରାୟ ୩୦ ଘର ଭାଙ୍ଗି ଥିବା ବେଳେ କାଦପଦର ଗାଁରେ ୧୮ଟି, କୋତାଗୁଡା ଗ୍ରାମରେ ୫ଟି, ଟିମାସପୁଟ ଗ୍ରାମରେ ୪ଟି, ନେତାଲଗୁଡା ଗ୍ରାମରେ ୬ଟି, ଦଳପତିପୁଟ ଗ୍ରାମରେ ୮ଟି,କୁଲାବେଡା ଗ୍ରାମରେ ୫ଟି ଭଳି ବହୁ ଗ୍ରାମରେ ଗଛ ପଡି ଘର ଭାଙ୍ଗିବା ସହ ପବନରେ ଛାତ ଉଡାଇ ଦେଇଛି। ପ୍ରାୟ ୧୨ ଘଣ୍ଟା ଧରି ତାଣ୍ଡବ ରଚିଲା।ବହୁ ଗିରବ ଲୋକେ ରାତି ତମାମ ଅନ୍ୟର ପିଣ୍ଡାରେ ଆଶ୍ରୟ ନେଲେ। କୁଟନିପାଲୀ ଗ୍ରାମର ବନମାଳୀ ଭଗମିଆ ନିଜ ୧୪ ବର୍ଷର ଝିଅ ସହ ଘରେ ରହିଥିଲେ।

ତେବେ ଅଚାନକ ତାଂକ ଘର ଉପରେ ତେନ୍ତୁଳି ଗଛ ପଡ଼ିଯିବାରୁ ଘର ସଂପୂର୍ଣ୍ଣ ଭାଙ୍ଗିଯିବା ସହ ଝିଅ ଚନ୍ଦ୍ରମାର ମୁଣ୍ଡ ଫାଟି ଯାଇଥିଲା। ବହୁ ବିରାଟକାୟ ଗଛଗୁଡିକ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ଲୋକେ ତ୍ରାହୀ ତ୍ରାହି ଡାକ ଛାଡିଲେଣି। ପ୍ରଶାସନ ତରଫରୁ କେହି ମଧ୍ୟ ପହଞ୍ଚିନଥିବା ଜଣାପଡ଼ିଛି। ତୁରନ୍ତ ସରକାରୀ ସହାୟତା ନମିଳିଲେ ଲୋକେ ବହୁ ହଇରାଣ ହେବେ ବୋଲି କୁହାଯାଇଛି। କୁଟନିପାଲୀ ଗ୍ରାମବାସୀ ମିଳିତ ଭାବେ କିଛି ଗରିବ ଲୋକଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଆଜି ଦିନ ତମାମ ବର୍ଷା ଲାଗି ରହିଥିଲା। ଗୋଟିଏ ପଟେ ଅସହ୍ୟ ଗରମରୁ ଲୋକେ ରକ୍ଷା ପାଇଥିଲେ ମଧ୍ୟ କାଳ ବୈଶାଖୀ ଯେଉଁ ତାଣ୍ଡବ ରଚିଲା ସେଥିରେ ବହୁ ଲୋକ ବେଘର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର