ଭୁବନେଶ୍ୱର/ନୂଆପଡ଼ା: ରାଜ୍ୟ ସାରା ପ୍ରବଳ ଖରା ମଧ୍ୟରେ ଆଜି ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ କଳାବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବେଗରେ ପବନ ଯୋଗୁଁ ରାସ୍ତାକଡ଼ରେ ଥିବା ଅନେକ ଗଛ ଉପୁଡ଼ି ପଡ଼ିଛି। ଫଳରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁସାରେ ଖଡ଼ିଆଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ଚାରି ଘଣ୍ଟା ସମୟରେ ପ୍ରବଳ ବର୍ଷା, କୁଆ ପଥରମାଡ଼ ଓ ପବନ ବୋହିଥିଲା। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଫଳରେ ଖଡ଼ିଆଳ ସିନାପାଲି ରାସ୍ତା, ଡୁଆଝର ବିରିଘାଟ ରାସ୍ତା, ଖଡ଼ିଆଳ ଲାଞ୍ଜି ରାସ୍ତା, କଳାହାଣ୍ଡି ରାଜ୍ୟ ରାଜପଥ ରାସ୍ତା ସହିତ ଜାତୀୟ ରାଜପଥ ୩୫୩ର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗଛ ପଡି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ରହିଥିଲା। କେତେକ ସ୍ଥାନରେ ଗ୍ରାମବାସୀ ରାସ୍ତାରୁ ଗଛ ହଟାଉ ଥିବାବେଳେ ଖଡ଼ିଆଳ ଅଗ୍ନିଶମ ବିଭାଗ ବିଭିନ୍ନ ଦଳରେ ଭାଗ ଭାଗ ହୋଇ ରାସ୍ତା ସଫା କରୁଥିବା ନଜରକୁ ଆସିଥିଲା।
ଅନ୍ୟପଟରେ ରାଜ୍ୟରେ ଗତକାଲି ତୁଳନାରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ହ୍ରାସ ପାଇଛି। ଗତକାଲି ବୌଦ୍ଧ ଓ ବାରିପଦା ଦେଶର ସବୁଠାରୁ ଉତ୍ତପ୍ତ ସହର ଥିବା ବେଳେ ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ କାରଣରୁ ଖରା କମିଛି। ବାରିପଦାରେ ଆଜି ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ସେହିପରି ତାଳଚେରରେ ୪.୮, ଝାରସୁଗୁଡ଼ା, କେନ୍ଦୁଝରରେ ୪୩.୬, ଅନୁଗୁଳରେ ୪୩.୩, ବଲାଙ୍ଗୀରରେ ୪୩.୨, ସୁନ୍ଦରଗଡ଼, ବୌଦ୍ଧରେ ୪୩, କଟକ, ଭୁବନେଶ୍ବରରେ ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।