କାଳବୈଶାଖୀ: ୧୧ ଜିଲ୍ଲାକୁ ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୬ ତାରିଖ (ଶନିବାର) ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ଣରେ ଜାରି ସତର୍କ ସୂଚନାରେ କୁହାଯାଇଛି।

ଜାରି ସୂଚନାରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ ରାୟଗଡା ପ୍ରଭୃତି ୧୧ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ବା କାଳବୈଶାଖୀ ହେବାର ସମ୍ଭାବନା ରହିଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଝରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଆଭ୍ୟନ୍ତରୀଣ ଓଡିଶାର କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି ଏବଂ ଓଡିଶାର ବାକି ଜିଲ୍ଲାରେ ଶୁଖିଲା ପାଗ ରହିଛି। ଏହି ସମୟ ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି ଏବଂ ଓଡିଶାର ଅନ୍ୟ ସ୍ଥାନରେ ପାଗରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ। ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ସ୍ୱାଭାବିକ ଥିଲା।

ଗତକାଲି (ଗୁରୁବାର) ରାଜ୍ୟର ସର୍ବାଧିକ ତାପମାତ୍ରା ୩୭.୦ ଡିଗ୍ରି ସେଲସିୟସ୍‌ ବଲାଙ୍ଗୀର ଠାରେ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ସେଲସିୟସ୍‌ ଓଡିଶାର ଫୁଲବାଣୀରେ ରେକର୍ଡ କରା ଯାଇଥିଲା।

ସମ୍ବନ୍ଧିତ ଖବର